• କେବେ ଶେଷ ହେବ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ କାମ ?
  • ୱାର୍କଅର୍ଡର ଅବଧି ସରି ବିତିଲାଣି ୫ ବର୍ଷ, ସରୁନି କାମ
  • ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବି ଅବମାନନା ଅଭିଯୋଗ

ସତ୍ୟବାଦୀ : ଦୀର୍ଘ ୫ବର୍ଷ ହେଲାଣି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ପେଣ୍ଠପଡା କଲ୍ୟାଣ ମଣ୍ଡପ କାମ ସରିବାର ନାଁ ଧରୁନି । କାମ ଆରମ୍ଭ ହେବାର ୬ ମାସ ମଧ୍ୟରେ ଏହା ସାରିବାକୁ ୱାର୍କ ଅର୍ଡରରେ ଲେଖା ହୋଇଥିଲା, ହେଲେ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଅଧାଗଢା ଅବସ୍ଥାରେ ପଡିଛି କଲ୍ୟାଣ ମଣ୍ଡପ ।  ଏବେ ଏହାକୁ ନେଇ ଲୋକାୟୁକ୍ତରେ ମାମଲା ରୁଜୁ କରାଯାଇଛି ।  ସେପଟେ କେଉଁ କାରଣ ପାଇଁ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ତାର ତଦନ୍ତ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

କାନ୍ଥରେ ଲତା ଉଠିଲାଣି, କେଉଁଠି ସିମେଣ୍ଟ ପ୍ଲାଷ୍ଟର ହୋଇନି ତ କେଉଁଠି ଚଟାଣ ବି ହୋଇନି ପ୍ଲାଷ୍ଟର ?  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପର ଅବସ୍ଥା କହିଲେ ନସରେ । ୨୦୧୬ ମସିହା ଜାନୁଆରୀ ମାସରେ ଏଟାରେ କଲ୍ୟାମ ମଣ୍ଡପ ନିର୍ମାଣ ଲାଗି ୱାର୍କ ଅର୍ଡର ହୋଇଥିଲା । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬ ମାସ ମଧ୍ୟରେ କାମ ସାରିବାକୁ ୱାର୍କ ଅର୍ଡରରେ ଲେଖାଯାଇଥିଲା  । ତେବେ  ୫ ବର୍ଷ ବିତିଲେ ବି ଏହା ନିର୍ମାଣ କାମ ସରିବାର ନାଁ ଧରୁନି । କେବଳ କଲ୍ୟାଣ ମଣ୍ଡପ କାହିଁକି ପାଖରେ ଥିବା ପାର୍କ ବି ଅଧାଗଢ଼ା ଅବସ୍ଥାରେ ପଡି ରହିଛି ।

ଏ ନେଇ ଲୋକାୟୁକ୍ତରେ ମାମଲା ପରେ ହୋଇଥିବା ଶୁଣାଣିରେ ୨୦୨୧ ଏପ୍ରିଲ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ହୋଇଥିଲା ।  ତେବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଏଠାରେ ପାଳନ କରାଯାଇନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି ।  ଅନ୍ୟପଟେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ଏହାର ତଦନ୍ତ କରିବାକୁ ସେ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୫ବର୍ଷ ବିତିଗଲାଣି ପେଣ୍ଠପଡ଼ାରେ କଲ୍ୟାଣ ମଣ୍ଡପ ନଥିବାରୁ ବିବାହ ଓ ବ୍ରତଘର ଭଳି ଶୁଭକାର୍ଯ୍ୟ ହୋଇପାରୁନି  । କେବେ କଲ୍ୟାଣ ମଣ୍ଡପ କାମ ସରିବ ଓ ସ୍ଥାନୀୟ ବାସିନ୍ଦା କେବେ ଏହାର ସୁଫଳ ପାଇବେ ଏବେ ତାକୁ ଅପେକ୍ଷା ।

Other Stories