ବିଚକ୍ଷଣ ବୁଦ୍ଧିମତାର ଅଧିକାରୀ ଆରୁଶ

କୁନି ବୟସରେ କମାଲ୍, ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଲେ ଗଜପତିର ବିସ୍ମୟ ବାଳକ

ଗଜପତି : ( ରିପୋର୍ଟ -ଆଦର୍ଶ ଦାସ) କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ଗଜପତିର ବିସ୍ମୟ ବାଳକ । ମାତ୍ର ୩ ବର୍ଷ ବୟସରେ ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଛନ୍ତି ଆରୁଶ ମିଶ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଳ୍ପ ବୟସରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାକୁ ନିଜ ଆୟତରେ କରିପାରିଛନ୍ତି ଏହି ବାଳକ ଜଣକ । କେବଳ ଏତିକି ନୁହେଁ ବିଭିନ୍ନ ଦେଶର ରାଷ୍ଟ୍ରପତିଙ୍କ ନାମ ମୁହେଁ ମୁହେଁ କହିପାରୁଛନ୍ତି । ତାଙ୍କର ଏପରି ବିସ୍ମୟ ପ୍ରତିଭା ଦେଖି ପରିବାର ଲୋକ  ଆଶ୍ଚର୍ଯ୍ୟାନ୍ୱିତ  ହେବା ସହ ଗୌରବା ଅନୁଭବ କରୁଛନ୍ତି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଙ୍ଗମ ସାହିର ଅଭିଜିତ ମିଶ୍ର ଏବଂ ମୋନାଲି ଆଚାର୍ଯ୍ୟଙ୍କ ଏକ ମାତ୍ର ପୁତ୍ର ଆରୁଶ ମିଶ୍ର  । ବୟସ ମାତ୍ର ୩ ବର୍ଷ, ଆଗରୁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ରେଷ ସ୍ଥାନ ପାଇଥିବା ଆରୁଶ ଏବେ ପୁଣି “ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ” (Exclusive world record)ରେ ସ୍ଥାନ ପାଇଛନ୍ତି । ବୟସ ସିନା ଅଳ୍ପ, କିନ୍ତୁ ବୁଦ୍ଧି ଆଉ ଜ୍ଞାନ ଆଗରେ ବଡ଼ ଲୋକେ ମଧ୍ୟ ହାର ମାନିଯିବେ । ଖେଳକୁଦ କରିବା ବୟସରେ ରାସାୟନିକ ବିଜ୍ଞାନ, ଗ୍ରହ ବିଜ୍ଞାନ  ଆଦି ବିଷୟରେ ବେଶ୍ ପାରଙ୍ଗମ ସେ । ଏଲକେଜିରେ ପଢ଼ୁଥିବା ଆରୁଶ ୩୦ରୁ ଉର୍ଦ୍ଧ୍ୱ ଦେଶର ରାଷ୍ଟ୍ରପତିଙ୍କ ନାମ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ମାନବ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଓ କୋଭିଡ୧୯ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଖୁବ ସୁନ୍ଦର ଭାବରେ ଦେଇପାରୁଛନ୍ତି । 

ଆରୁଶଙ୍କ ସ୍ମରଣଶକ୍ତି ଖୁବ ଥୀକ୍ଷ୍ଣ । ଥରେରୁ ଦୁଇ ଥର ଶୁଣୁଥିବା କଥାକୁ ସହଜରେ ମନେରଖି ନିଅନ୍ତି । ବହୁ ଜିନିଷ ଜାଣିବାକୁ  ତାଙ୍କର ପ୍ରବଳ ଆଗ୍ରହ ।  ମାତ୍ର ୨ ବର୍ଷ ବୟସରୁ ସକାଳେ ସନ୍ଧ୍ୟାରେ ମା’ କରୁଥିବା ପ୍ରାର୍ଥନାକୁ ମନଦେଇ ଶୁଣିବା ସହ କ୍ଳିଷ୍ଟ ଶ୍ଳୋକ ଓ ମନ୍ତ୍ରକୁ ମଧ୍ୟ ମୁଖସ୍ତ କରିପକାଇଛନ୍ତି  ।  ତେବେ ଆରୁଶ ଭବିଷ୍ୟତରେ ଡାକ୍ତର, ବୈଜ୍ଞାନିକ କିମ୍ବା ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ ରଖିଛନ୍ତି ବୋଲି କହନ୍ତି ତାଙ୍କ ବାପାମାଆ । ଆରୁଶଙ୍କ ସଫଳତା ପାଇଁ ତାଙ୍କ ବପାମା’ ଯେତିକି ଗର୍ବିତ, କଅଁଳ ବୟସରେ  ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଥିବାରୁ ତାଙ୍କୁ ସଭିଏଁ ପ୍ରସଂଶା କରିଛନ୍ତି ।

You might also like