ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ : କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲୀ ବାରହା ଧୋଡ଼

ଘରେ ଖୁସିର ଲହରୀ।

କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼
ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା
ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ

କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ .. ମୋ ଧନ. . . ଏତେ ଦିନ ହେଲା କିଛି ଖାଇନି ଲୋ . . ତୋତେ ଆଉ ଆମ ଠାରୁ କେହି ନେବେନି । କେହି କିଛି କରି ପାରିବେନି । ଆମେ ଅଛୁ .. ତୁ ଆମ ସହ ରହିବୁ । ଘରକୁ ଯିବା . . ? ହଜିଯାଇଥିବା  ଜଙ୍ଗଲୀ ବାରହାକୁ ପାଇ କୁନ୍ତଳା ପେଣ୍ଠେଇଙ୍କ ଘରେ ଖୁସିର ଲହରୀ। ସତେ ଯେମିତି ତାଙ୍କୁ ଆଜି କୋଟିନିଧି ମିଳିଯାଇଛି।  

ମା କୋଳକୁ ଫେରିଲା ଧୋଡ଼ । ଜଙ୍ଗଲୀ ଜନ୍ତୁ ହୋଇଥିଲେ ସୁଦ୍ଧା ମା’ର ସ୍ନେହବୋଳା ପଣତକୁ ଭୁଲି ପାରିଲା ନାହିଁ । ସ୍ନେହ ମମତାର ଡୋର ଛିଣ୍ଡାଇ ଜଙ୍ଗଲରେ ରହିପାରିଲା ନାହିଁ । କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳା ପେଣ୍ଠେଇଙ୍କ କୋଳକୁ ଫେରିଛି ବାରହା ଧୋଡ଼।  ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଘଟଣାସ୍ଥଳରେ ପହଞ୍ଚି ଧୋଡ଼କୁ ଉଦ୍ଧାର କରି ଘରକୁ ଆଣିଛନ୍ତି । ମଣିଷ ଓ ପଶୁର ଅନାବିଳ ସର୍ମ୍ପକୁ ଯିଏ ନଦେଖିବ ସିଏ ବିଶ୍ୱାସ କରିପାରିବ ନାହିଁ। ନିଜ ଛୁଆ ପରି ପାଳିଥିବା ବାରହା ଧୋଡ଼କୁ ପାଇଁ ଆଜି ମା’ କୁନ୍ତଳାର ଛାତି କୁଣ୍ଢେମୋଟ ହୋଇଯାଇଛି। ହଜିଲା ପୁଅକୁ ଆଜି ଏତେ ଦିନ ପରେ ଫେରିପାଇଛନ୍ତି।

ସୂଚନାଯୋଗ୍ୟ  ଧୋଡ଼ ଛୋଟ ଥିଲା ବେଳେ ଜଙ୍ଗଲ ଭିତରୁ କୁନ୍ତଳା ତାକୁ ଆହତ ଅବସ୍ଥାରେ ପାଇଥିଲେ । ତାକୁ ଆଣି ତା’ର ସେବା ଯତ୍ନ କରି ତାକୁ ବଞ୍ଚାଇଥିଲେ। ହେଲେ ସେମାନଙ୍କ ମମତା ମଧ୍ୟରେ ବାଡ଼ ସାଜି ଆସିଥିଲେ ଜଙ୍ଗଲ ବିଭାଗର କର୍ମଚାରୀ।  କୁନ୍ତଳାଙ୍କଠାରୁ ବାରହାଟିକୁ ଛଡ଼ାଇ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲା । ନିଜ ଛୁଆ ପରି ପାଳିଥିବା ବାରହାକୁ ଝୁରିଝୁରି ଦୁଃଖରେ ଦିନକାଟୁଥିଲେ କୁନ୍ତଳା । ହେଲେ ଦୀର୍ଘ ୬ ଦିନ ପରେ ପୁଣି ମା’ର ମମତା, ଜଙ୍ଗଲୀ ଜନ୍ତୁ ଧୋଡ଼କୁ ଘରକୁ ଟାଣି ଆଣିଛି । ଏବେ ପ୍ରଶ୍ନ ଉଠୁଛି ଜଙ୍ଗଲୀ ବାରହାଟି ରହିବ କେଉଁଠି ? ମା’ ପାଖରେ ନା ଜଙ୍ଗଲରେ ?

କାରଣ ଆଇନ୍ କହୁଛି, ଘରେ ଜଙ୍ଗଲୀ ଜନ୍ତୁ ରଖିପାରିବେ ନାହିଁ। କୋର୍ଟକଚେରୀର ଏହି ଆଇନ୍ ବିଷୟରେ  ଜଙ୍ଗଲୀ ଜନ୍ତୁଟି ବା କ’ଣ ଜାଣେ । ଯେଉଁଠି ପ୍ରେମ ଟିକିଏ ପାଇଲା ସେଠି ସେ ବନ୍ଧା ପଡ଼ିଗଲା। ଜଙ୍ଗଲ ବିଭାଗ କର୍ମଚାରୀ ତାକୁ ବଣରେ ଛାଡ଼ି ଦେଇଥିଲେ ବି, ସେ ପୁଣି ପଳେଇ ଆସିଛି, ତାକୁ ପିଲାଦିନୁ ଆହତ ଅବସ୍ଥାରେ ପାଳିଥିବା ମାଲିକାଣୀ ପାଖକୁ। ଗୋଟେପଟେ ଆଇନ୍, ଆଉ  ଗୋଟେ ପଟେ ମମତା। କିଏ ଜିତିବ ଦେଖିବାକୁ ବାକି ରହିଲା . .

You might also like