ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

ସେପଟେ ଅଭିଯୁକ୍ତ ସ୍ୱାମୀର ଭଉଣୀକୁ ଖୁଣ୍ଟରେ ବାନ୍ଧିଲେ ଗାଁ ଲୋକେ

ନୀଳଗିରି(ବିଶ୍ୱମ୍ବର ଦାସ): ସ୍ୱାମୀସ୍ତ୍ରୀର ପବିତ୍ର ସମ୍ପର୍କରେ ଧୋକାଦାରୀର କଳାଦାଗ ।  ହାତ ଧରି ସାତ ଜନମର ସାଥୀ ହେବ ବୋଲି କଥା ଦେଇଥିଲା । ହେଲେ ଅନ୍ୟ ରାଜ୍ୟରେ ସ୍ତ୍ରୀକୁ ଏକା ଛାଡ଼ି ଲୁଚିକି ବାହା ହେଉଥିଲା ସ୍ୱାମୀ । ଆଉ ଠିକ ସମୟରେ ଗାଁରେ ପହଞ୍ଚି ଯାଇଥିଲା ସ୍ତ୍ରୀ । ଫଳରେ ସ୍ୱାମୀର ଦ୍ୱିତୀୟ ବିବାହ ଯୋଜନା ଭଣ୍ଡୁର ହୋଇଛି । ନୀଳଗିରି ଥାନା ଜୁରିଆପାଟଣା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା।

ବଡୁଆଁ ଗ୍ରାମର ସୁଶାନ୍ତ ମଲ୍ଲିକ ବିବାହର ଏତେ ବର୍ଷ ପରେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲେ। ସ୍ତ୍ରୀର ଅଜାଣତରେ ବିବାହ ପାଇଁ ତିଥି ସ୍ଥିର ହୋଇସାରିଥିଲା। ଆଉ ଦିନ କେଇଟା ପରେ ଦ୍ୱତୀୟ ଥର ପାଇଁ ହାତଗଣ୍ଠି ପଡ଼ିଥାଆନ୍ତା । ମଧ୍ୟପ୍ରଦେଶରୁ ଆସି ଆଜି ସ୍ୱାମୀ ଘରେ ହାଜର ହୋଇଗଲେ ସ୍ତ୍ରୀ ।

ତେବେ ମଞ୍ଜୁଲତାକୁ ଦେଖି ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଭଉଣୀ ତାଙ୍କୁ ଓ ତାଙ୍କ ମାଙ୍କୁ ଗାଁରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଫଳରେ ମଞ୍ଜୁଲତାଙ୍କ ମା ଚେତାଶୂନ୍ୟ ହୋଇପଡ଼ିଥିଲେ । ତେବେ ଏପରି ଦୃଶ୍ୟ ଦେଖି ଗାଁ ଲୋକେ ସହିନପାରି ପ୍ରତିବାଦ କରିଥିଲେ। ସୁଶାନ୍ତ ଓ ତାଙ୍କ ଭଉଣୀକୁ ଅଟକ ରଖିବା ବେଳେ ସ୍ୱାମୀ ଚମ୍ପଟ ମାରିଥିଲା। ତେବେ ବର୍ତ୍ତମାନ ଗାଁଲୋକେ ତାଙ୍କ ଭଉଣୀଙ୍କୁ ଖୁଣ୍ଟରେ ବାନ୍ଧି ରଖିଛନ୍ତି ।

ଅଭିଯୁକ୍ତ ସୁଶାନ୍ତ୨୦୧୨ରେ ମଞ୍ଜୁଲତାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।  ସୁଶାନ୍ତ ମଧ୍ୟପ୍ରଦେଶରେ କାମ କରୁଥିଲେ । ଆଉ  ସ୍ତ୍ରୀକୁ ନେଇ ସେଠାରେ  ଛାଡ଼ିଦେଇ କିଛି ଦିନ ପୂର୍ବରୁ ଓଡିଶା ପଳାଇ ଆସିଥିଲେ। ଆଉ ଏଠାକୁ ଆସି ଦ୍ୱିତୀୟ ବିବାହର ସ୍ୱପ୍ନ ଦେଖୁଥିଲେ। ଏକଥା ଜାଣିବା ପରେ ମଞ୍ଜୁଲତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ସେ ତରୁନ୍ତ ମଧ୍ୟପ୍ରଦେଶରୁ ଆସି ଆଜି ସକାଳେ ଜୁରିଆପାଟଣା ଗାଁରେ ହାଜର ହୋଇଯାଇଥିଲେ। ତେବେ ଅଚାନକ ଭାବେ ସ୍ତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ସୁଶାନ୍ତ ଏବଂ  ଘଟଣାସ୍ଥରେ ବାଇକ୍ ଛାଡ଼ି ପଳାଇ ଯାଇଛି ।

You might also like