ରାଜଧାନୀରେ ଯୁବତୀଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀଙ୍କ ନାଁ ଅଳକାନନ୍ଦ ଦାସ। ତାଙ୍କ ଘର କୋଣାର୍କ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ସ୍ଥିତ ଗୌରୀ ନଗର ଲେନ୍ ୫ରେ ଏହି ଅଭାବନୀୟ ଘଟଣା ଘଟିଛି। ଲିଙ୍ଗରାଜ ପୁଲିସ୍‌ ଅଭିଯୁକ୍ତ ଅନୀଶା ମିତ୍ରାଙ୍କୁ  ଅଟକ ରଖି ପଚରାଉଚରା କରୁଛି। ଅନୀଶାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଅନୀଶା କ୍ରୋଧାନ୍ୱିତ ହୋଇ ଅଳକାଙ୍କୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ତେବେ କେଉଁ କାରଣରୁ ସେ ଅଳକାଙ୍କୁ ହତ୍ୟା କଲେ ତାହା ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ଅନୀଶା ଓ ଅଳକା ଏକାଠି ପାଖାପାଖି ୧୦ ବର୍ଷ ଧରି ଭୁବନେଶ୍ୱରରେ ଭଡ଼ା ଘରେ ରହି ଆସୁଥିଲେ। ଜଣେ ଏନ୍‌ଜିଓ ସଂସ୍ଥାରେ କାମ କରୁଥିବା ବେଳେ ଅନ୍ୟ ଜଣେ କନ୍‌ସଲ୍‌ଟାନ୍ସି ଏଜେନ୍ସିରେ କାମ କରୁଥିଲେ। ତେବେ ଗତ ଦୁଇଦିନ ତଳେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇ ଏକାଠି ରହୁଥିଲେ। ତେବେ କାଲି ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ଅନୀଶା, ଅଳକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

You might also like