କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ମାସେ ଭିତରେ ରିପୋର୍ଟ ଦେବାକୁ କହିଲେ ମହିଳା କମିଶନ

ଭୁବନେଶ୍ୱର:  ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ୍ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଘଟଣାର ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

କଙ୍କାଳକୁ ଚିହ୍ନଟ କରିବା ପରେ ଏହାକୁ କଙ୍କାଳ ଚିହ୍ନଟ ଲାଗି ଡିଏନ୍ଏ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିପାଇଁ  ଶରୀରର ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବକୁ ପଠାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ସୂଚନାଥାଉ କି, ୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୋଲିସ ମହିନ୍ଦ୍ରା ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ  ଫେବୃଆରୀ ୧୨ରେ  ଉଦ୍ଧାର ହୋଇଥିଲା। ପରେ ପୋଲିସର ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।

ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ବୋଲି ଜଣାପଡିଥିଲା । ଏଥିସହ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସ୍ୱାଭାବିକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ। ଅନ୍ୟପକ୍ଷରେ, ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

କଙ୍କାଳ କାହାର ତାକୁ ନେଇ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବାବେଳେ ଗାଡି ନିକଟରୁ ଏକ ହାତ ଲେଖା ଚିଠି ମିଳିଥିଲା, ଯାହା ଘଟଣାକୁ ଆହୁରି ବିଭ୍ରାନ୍ତି ଆଡକୁ ଟାଣି ନେଇଥିଲା। ୨୦୧୫ ମସିହା ଡାଇରୀର ଏକ ଫର୍ଦ୍ଦରେ ଏହି ଚିଠିଟି ଲେଖାଯାଇଥିଲା ଏବଂ ଏହା ଏକ ପ୍ରେମ ପତ୍ର ଥିଲା। ତେବେ ଚିଠିଟି କିଏ ଓ କାହା ପାଖକୁ ଲେଖିଥିଲା ଏବଂ ମୃତ ମହିଳାଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

 

You might also like