ଯୌତୁକ ଯାତନା: ଗୋଡ଼ ବାନ୍ଧି ନବବଧୂକୁ ଫିଙ୍ଗିଦେଲେ !

ଭୁବନେଶ୍ୱର: ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ। ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରିଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖିପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଦେଖନ୍ତୁ କେତେ ବର୍ବର, ବୀଭତ୍ସ ଆଉ ବେଦନାଦାୟକ ଦୃଶ୍ୟ। ବାନ୍ଧି ଦିଆଯାଇଛି ହାତଗୋଡ଼। ଡୋଲିରେ ପକାଇ ଚେତାଶୂନ୍ୟ କରି ଫିଙ୍ଗିଦିଆଯାଇଛି ଗାଇ ଗୁହାଳରେ। ଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର ଗାଁର ସତ୍ୟନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ଝିଲି। ଆଜି ସକାଳୁ ଏଭଳି ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛନ୍ତି ପଡୋଶୀ। ଆଉ ଭର୍ତ୍ତି କରାଇଛନ୍ତି ମେଡ଼ିକାଲ୍‌ରେ। ଝିଲିଙ୍କ ପରିବାରର ଅଭିଯୋଗ ଯୌତୁକ ପାଇଁ ଝିଅକୁ ଏଭଳି ଦଣ୍ଡ ଦେଇଛନ୍ତି ଶାଶୂଘର ଲୋକେ।

ବୁଗୁଡ଼ା ଥାନା କରଡ଼ାବାଡ଼ିର ପଶାଣି ପ୍ରଧାନଙ୍କ ଝିଅ ଝିଲି ୨ ବର୍ଷ ତଳେ ଜିତେନ୍ଦ୍ରଙ୍କୁ ସାତ ଜନ୍ମର ସାଥୀ କରି ହାତ ଧରିଥିଲେ। ବିବାହର ୨ ବର୍ଷ ପରେ ବି ମା ହେବାର ସୁଯୋଗ ଜୁଟିନି ତାଙ୍କ ଭାଗ୍ୟରେ। ଏଭଳି ସ୍ଥିତିରେ ବିବାହ ପରଠୁ ଝିଅକୁ ଯୌତୁକ ପାଇଁ ନାନା ଗଞ୍ଜଣା ସହିବାକୁ ପଡ଼ିଥିବା ଝିଲିଙ୍କ ପରିବାର ଲୋକେ କହିଛନ୍ତି। ଗତକାଲି ପ୍ରଥମେ ଝିଲି ନିଖୋଜ ହୋଇଯାଇଛି ବୋଲି ଶାଶୂଘର ଲୋକେ କହିଥିଲେ। ରାତି ପାହିଲା ବେଳକୁ କିନ୍ତୁ ପଡୋଶୀଙ୍କ ଗାଈ ଗୁହାଳରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଡୋଲିରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଝିଲିଙ୍କୁ ବ୍ରହ୍ମପୁର ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେପଟେ ପୋଲିସ ଝିଲିଙ୍କ ବାପାଙ୍କ ଏତଲା କ୍ରମେ ଶାଶୁ ଓ ଶ୍ୱଶୁରଙ୍କୁ ଧରି ପଚରାଉଚରା କରିବା ସହ ହାଇଦ୍ରାବାଦରେ ରହୁଥିବା ସ୍ୱାମୀ ଜିତେନ୍ଦ୍ରଙ୍କୁ ଡକାଇଛି।

ଶ୍ୱଶୂର, ଶାଶୂ ଓ ନଣନ୍ଦ ଏମାନେ ତାଙ୍କୁ ଶାରିରୀକ ନିର୍ଯାତନା ଦେଉଥିଲେ। ବିଶେଷ କରି ଯୌତୁକ ଦାବି କରି ମାରପିଟ୍ କରିଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ମାଡ଼ ମାରିବା ପରେ ଏକ ଗୁହାଳ ଘର ଧାନ ଡୋଲି ଭିତରେ ପକାଇ ଦେଇଥିଲେ। ଖବର ପାଇବା ପରେ ଆମ୍ବୁଲାନ୍ସ ଓ ପୋଲିସ୍ ତାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। 
-ବି.କେ ମଲ୍ଲିକ, ଆଡିସ୍‌ନାଲ ଏସ୍‌ପି, ଗଂଜାମ

ଘଟଣା ପଛର ଅସଲ କାରଣ କଣ ? ତାହା ତ ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ। ତେବେ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ନାରୀ ନିର୍ଯାତନାରେ ଦେଶରେ ୨ ନମ୍ବର ଥିବା ଓଡ଼ିଶା ପାଇଁ ଏହା ଆଉ ଏକ କଳଙ୍କିତ ଅଧ୍ୟାୟ। ରିପୋର୍ଟ କହୁଛି, ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ହାର ବଢିଛି ୧୪. ୩୪ %। ୨୦୧୮ରେ ଏ ସମ୍ପର୍କିତ ମାମଲା ସଂଖ୍ୟା ୨୦,୨୭୪ ଥିଲା। ୨୦୧୯ରେ ପହଞ୍ଚିଥିଲା ୨୩, ୧୮୩ରେ। ଏଭଳି ଉଦବେଗଜନକ ହାର ଭିତରେ ଗଞ୍ଜାମ ଜିଲ୍ଲାର ଏହି ଘଟଣା ଆହୁରି ଚିନ୍ତା ବଢ଼ାଇଛି।

You might also like