‘ମରିଯିବି ପଛେ କୋଭିଡ କେନ୍ଦ୍ରକୁ ଯିବିନି…’

କଟକ: କରୋନାର କରାଳ ରୂପରେ ଉଜୁଡି ଯାଉଛି ଘର ସଂସାର। ଛିଣ୍ଡି ଯାଉଛି  ମମତାର ବନ୍ଧନ। ଭୂତ ପରି ଯେମିତି ଡରଉଛି କରୋନାର ବିକଟାଳ ଚେହେରା। ଯୁଆଡେ ଚାହିଁଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ସାଜି ଠିଆ ହୋଇଛ କରୋନା ଭାଇରସ।  ନିକଟରେ ଜଣେ କରୋନା ରୋଗୀ କୋଭିଡ୍ ସେଣ୍ଟରରୁ ଖସି  ପଳାଇଗଲେ, ଆଉ ତାଙ୍କୁ ଧରିବା ପାଇଁ କୋଭିଡ ସେଣ୍ଟର କର୍ମଚାରୀମାନେ ଝାଳନାଳ ହୋଇ ଯାଇଥିଲେ। ଶେଷରେ ନବସତି ଆଡ଼କୁ ଯିବା ପୂର୍ବରୁ ତାଙ୍କୁ କାବୁ କରିନେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲିକୁଦାଠାରେ।

ଗତ ଦୁଇ ଦିନ ତଳେ ବାଲିକୁଦାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି ନୂତନ କୋଭିଡ୍ କେୟାର ସେଣ୍ଟର। ଅଭିଯୋଗ ଅନୁସାରେ, ଗତକାଲି ମହିଳା ଜଣକଙ୍କ ପାଖରେ କରୋନା ଚିହ୍ନଟ ହେବା ପରେ ଏଠି ଚିକିତ୍ସା କରିବାକୁ ଅଣାଯାଇଥିଲା। ତେବେ ଅଚାନକ୍ ଗତକାଲି ରାତିରେ ସେ ସେଠୁ ପଲାଇ ଯିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ସେ କୋଭିଡ ସେଣ୍ଟରରୁ ଖସି ପଳାଇଥିଲେ।

ଏକଥା ଜାଣିବା ପରେ  ପରେ ତାଙ୍କୁ ଖୋଜା ଖୋଜି କରାଯାଇଥିଲା। ଶେଷରେ କୋଭିଡ ସେଣ୍ଟର କର୍ମଚାରୀମାନେ ତାଙ୍କୁ ବାଲିକୁଦା ରାସ୍ତାରେ ଧରିନେଇଥିଲେ।  ଧରାପଡିବା ସତ୍ତ୍ୱେ ମଧ୍ୟ ମହିଳା ଜଣକ କେୟାର ସେଣ୍ଟରକୁ ଯିବାକୁ ଚାହୁଁ ନ ଥିଲେ। ଖସି ପଳାଇବା ପାଇଁ ଶେଷରେ ସେ  କର୍ମଚାରୀଙ୍କୁ କାମୁଡ଼ିବାକୁ ଚେଷ୍ଟା କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ମହିଳା ଜଣକ କୋଭିଡ କୋଭିଡ କେୟାରକୁ ଆସିବାକୁ ଚାହୁଁ ନ ଥିଲେ। ତାଙ୍କୁ ବୁଝାସୁଝା କରି ଏଠାକୁ ଅଣାଯାଇଥିଲା। ପୂର୍ବଦିନ ରାତିରେ ଖାଇ ପିଇ ଶୋଇଥିଲେ। ହେଲେ ପରେ ଖସି ପଳାଇଥିଲେ। ଏପରିକି ଧରାପଡ଼ିବା ପରେ ମଧ୍ୟ ମହିଳାଙ୍କର କୋଭିଡ କେନ୍ଦ୍ରକୁ ଯିବାକୁ ରାଜି ହୋଇ ନ ଥିଲେ। ମରିଯିବି ପଛେ କୋଭିଡ କେନ୍ଦ୍ରକୁ ଯିବି ନାହିଁ ବୋଲି ଅଡି ବସିଥିଲେ ।

ଯାହା ବି ହେଉ, ଶେଷରେ କୋଭିଡ କେୟାର କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ପରେ ତାଙ୍କୁ ହସ୍ପିଟାଲ୍‌କୁ ନିଆ ଯାଇଛି। ଘଟଣାର ତଦନ୍ତ ହେବା ସହ କିପରି ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।

You might also like