ରାସ୍ତା ପାର ହେଉଥିଲେ, ମାଡ଼ିଗଲା ଟ୍ରକ୍‌

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିକରଡା ଗାଁର କନକ ବେହେରା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।

ରଣ୍ଢା ବଜାରକୁ ଯିବା ପାଇଁ କନକ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ରଣ୍ଢା ଛକରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଦୀର୍ଘ ଦିନ ହେବ ରଣ୍ଢା ଛକରେ ଏକ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି।

You might also like