ଭାଉଜର ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦିଅର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ବନ୍ଧନୀ ଓରାମ। ତାଙ୍କ ଘର ଟିକାୟତପାଲ୍ଲୀ ଗାଁରେ। ଅଭିଯୁକ୍ତର ନାଁ ରତିକାନ୍ତ ଓରାମ। ତେବେ ଏହି ଆକ୍ରମଣରେ ଜଣେ ଦେଢ଼ ବର୍ଷର ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛି।

ସୂଚନା ଅନୁଯାୟୀ,ବନ୍ଧନୀ ତାଙ୍କ ଝିଅକୁ ଟିକିରାପୋଷ ଗାଁରେ ବିବାହ ଦେଇଛନ୍ତି। ସେ ଝିଅକୁ ଦେଖିବା ପାଇଁ ବେଳେ ବେଳେ ତା’ ଶାଶୁ ଘରକୁ ଯାଇଥାଆନ୍ତି। ହେଲେ ତାଙ୍କ ଝିଅର ଦିଅର ରତିକାନ୍ତ, ବନ୍ଧନୀଙ୍କ ଯିବା ଆସିବାକୁ ବିରୋଧ କରିଥାନ୍ତି। ଏମିତିକି ବନ୍ଧନୀ ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପରିବାର ଲୋକଙ୍କ ଦେହ ଭଲ ରହୁ ନ ଥିବା ରତିକାନ୍ତ ଅଭିଯୋଗ କରି ଆସୁଥିଲେ। ଏହାସତ୍ତ୍ୱେ ଗତକାଲି ବନ୍ଧନୀ ତାଙ୍କ ଝିଅ ଘରକୁ ଆସିଥିଲେ। ରାତିରେ ସମସ୍ତେ ଖାଇ ସାରିବା ପରେ ଘର ବାହାରେ ନିଆଁ ଜାଳି ସେକି ହେଉଥିଲେ।

ଏହି ସମୟରେ ରତିକାନ୍ତ ଆସି ବନ୍ଧନୀକୁ ଦେଖି ପାଖରେ ଥିବା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହାସହ ବନ୍ଧନୀ ପାଖରେ ଥିବା ରତିକାନ୍ତଙ୍କ ଦେଢ଼ବର୍ଷର ଭଣଜା ମଧ୍ୟ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଶିଶୁଟିକୁ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ରତିକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like