ରାଜଧାନୀରେ କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ମୃତ ମହିଳାଙ୍କ ନାଁ ଲାବଣ୍ୟ ସ୍ୱାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡଗିରି-କଳିଙ୍ଗ ଷ୍ଟୁଡିଓ ମୁଖ୍ୟ ରାସ୍ତା କଡ଼ ନିକଟରେ ଥିବା ଏକ ବସ୍ତିରେ ମହିଳା ଜଣକ ରହୁଥିଲେ। ଆଜି ସକାଳେ ଲାବଣ୍ୟ ରାସ୍ତା କଡ଼ରେ ଗାଧୋଉଥିବା ବେଳେ ଏକ ସ୍କର୍ପିଓ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ଘଟଣାସ୍ଥଳରେ ଗାଡ଼ିକୁ ଛାଡ଼ି ଡ୍ରାଇଭର ଓ ତାଙ୍କର ଜଣେ ସହଯୋଗୀ ଫେରାର ହୋଇଯାଇଛନ୍ତି।

ଅନ୍ୟପଟେ, ଗାଡ଼ିଟି କାହାର? ଗାଡ଼ିର ମାଲିକ କିଏ? ଏସବୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like