୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା

ଜଗତସିଂହପୁର: ୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା। ଜଗତସିଂହପୁର ପୋକାମୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗତକାଲି ରାତିରେ ଜଣେ ମହିଳା ନିଜ ୬ ମାସର ଛୁଆକୁ ଧରି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ନାଉଗାଁ ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋଜଖୋଜି ଜାରି ରଖିଥିଲେ ବି ଉଭୟଙ୍କ ପତ୍ତା ମିଳି ପାରିନାହିଁ। ନିଖୋଜ ହେଉଛନ୍ତି ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ।

ପୋକାମୂଳ ଗାଁ ବାସିନ୍ଦା ଅରକ୍ଷିତଙ୍କ ଘର ଦେବୀ ନଦୀ ବନ୍ଧ ନିକଟରେ।  ଅରକ୍ଷିତ ବାହାରେ ଚାକିରି କରୁଥିବାରୁ ଲିପିନା ନିଜ ଶାଶୁ ଶ୍ୱଶୁରଙ୍କ ସହ ରୁହନ୍ତି।  ଗତ ରାତିରେ ଲିପିନା ନିଜ ଛୁଆକୁ ଧରି ଘର ବାହାରେ ବୁଲୁଥିଲେ। ହେଲେ କିଛି ସମୟ ପରେ ସେ ପାଖରେ ଥିବା ନଦୀକୁ ଡେଇଁ ପଡ଼ିଥିବା ଗାଁ ଲୋକେ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ।

ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁ ମା’ ଛୁଆଙ୍କ କୌଣସି ସନ୍ଧାନ ମିଳି ପାରି ନ ଥିଲା। ଖବର ପାଇ  ପୁଲିସ୍‌,  ଅଗ୍ନିଶମ ବିଭାଗର କର୍ମଚାରୀ  ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଉଭୟଙ୍କ ସନ୍ଧାନ ମିଳି ପାରି ନାହିଁ।

ଅନ୍ୟପକ୍ଷରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

You might also like