ସାଂସଦ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଲେ ଅଭିଯୋଗକାରିଣୀ

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁରୀଘାଟ ଥାନା ଆଗରେ ମହିଳା ସାମ୍ବାଦିକ ଧାରଣା ଦେଇଛନ୍ତି।  ଅନୁଭବଙ୍କ ନାଁରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ମହିଳା ସାମ୍ବାଦିକ ସସ୍ମିତା ଆଚାର୍ଯ୍ୟ କହିଛନ୍ତି। ଏନେଇ ଆଜି ସେ ଥାନାକୁ ଆସି ଅଧିକାରୀଙ୍କୁ ଭେଟିବା ସହ ଧାରଣାରେ ବସିଛନ୍ତି।

ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସାମ୍ବାଦିକ ଜଣକ କହିଛନ୍ତି। ଖାଲି ଏତିକି ନୁହେଁ FIRରେ ବି ଏପଟ ସେପଟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଚାପରେ ପୁଲିସ୍‌ ଏପରି କରିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଏନେଇ ପୁଲିସ୍‌ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଥାଉ କି, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ସସ୍ମିତା ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ଅନୁଭବ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ  ବସିଥିଲେ।

ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଖଣ୍ଡନ କରିସାରିଛନ୍ତି।

You might also like