ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର : ଡ୍ୟୁଟିରେ ଥିବା ବେଳେ ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ସେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ ହେଲେ ପିଇଓ(ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ) ସ୍ମିତାରାଣୀ।

ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଆଜି ଭତ୍ତା ବଣ୍ଟନ ଲାଗି ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ । ଖରାବେଳେ ସେ ଖାଇବାକୁ ସରପଞ୍ଚଙ୍କ ନିଜସ୍ଵ ଅଫିସ ଗୃହକୁ ଯାଇଥିଲେ । ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ ଅଫିସ ଉପରମହଲାକୁ ଯାଇଥିଲେ। ହେଲେ ସେଠାରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ସେ ବେକରେ ଓଡ଼ଣି ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ। ଏଥିସହ ସ୍ମିତାରଣୀକୁ ଧର୍ମଶାଳା ଡାକ୍ତରଖାନାକୁ ନେଇଆସିଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ କାର୍ଯ୍ୟରତ ମହିଳାଙ୍କ ଏଭଳି ମୃତ୍ୟୁକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ଘଟଣାର ତଦନ୍ତ ଲାଗି ମୃତକ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛି । ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରି କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ଝିଅ ଅଛି।

You might also like