ସେଲ୍‌ଫି ନେବା ବେଳେ ଏମିତି ଆସିଥିଲା ମୃତ୍ୟୁ, ଭାଇରାଲ୍‌ ହେଉଛି ଭିଡିଓ

ସୁନ୍ଦରଗଡ଼(ବିଜୟ ବରୁଆ): କାଳ ହେଲା ସେଲ୍‌ଫି ନିଶା। ସେଲ୍‌ଫି ନେବା ନିଶାରେ ବେଳେବେଳେ ଆମେ ଏମିତି କିଛି ଭୁଲ୍‌ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏପରିକି ଜୀବନ ମଧ୍ୟ ଚାଲିଯାଏ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ।

ନଈ ସୁଅ ମୁହଁରେ ଛିଡ଼ା ହୋଇ ସେଲ୍‌ଫି ନେବା ବେଳେ ଇବ୍‌ ନଦୀରେ ଜଣେ ଯୁବତୀ ଭାସି ଯାଇଛନ୍ତି। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। ମୃତ ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ।

ସୂଚନା ଅନୁସାରେ, ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ବାଲିଶଙ୍କରା ବ୍ଲକ ଇବ୍‌ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ। ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା ଇବ୍‌ ନଈ ସୁଅ ମୁହଁରେ ପଥର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଉକ୍ତ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡ଼ି ଯାଇଥିଲେ ଓ ନଦୀରେ ଭାସି ଯାଇଥିଲେ। ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ମିଳିଥିଲା।

ସୂଚନାଥାଉ କି, ନିରୁପମାଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ମେ’ ମାସରେ ତାଙ୍କ ବିବାହ ହୋଇଥାନ୍ତା।

କିଛି ଦିନ ତଳେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଭିଡିଓ କଲିଂ ବେଳେ ଜଣେ ଯୁବତୀ ବ୍ରିଜ୍‌ରୁ ଖସି ପଡ଼ିଥିଲେ। ପାଖାପାଖି ୩୦ ଫୁଟ୍ ଉଚ୍ଚରୁ‌ ଖସି ପଡ଼ିବା ଫଳରେ ଘଟଣାସ୍ଥଳରେ ହିଁ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

You might also like