ମେଡିକାଲ ଫେରାଇଦେଲା, ରାସ୍ତାରେ ପ୍ରସବ କଲେ ମହିଳା

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୁଃଖ। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି। ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଘଟଣାଟି ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଚାନ୍ଦବାଲି  ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଥିବା ଡାକ୍ତର ମିନତିଙ୍କୁ ଭଦ୍ରକକୁ ରେଫର କରି ଦେଇଥିଲେ।

ଭଦ୍ରକରେ ପହଞ୍ଚିଲାବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରେ ସେଠାରେ ଥିବା ଡାକ୍ତର ତାଙ୍କୁ କଟକ ଯିବାକୁ କହିଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ଗାଡି ମିଳିବାରେ ସମସ୍ୟା ହେବବୋଲି ପରିବାର ଲୋକେ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଡାକ୍ତର କୌଣସି କଥା ଶୁଣିନଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେଠାରୁ ମିନତିଙ୍କୁ ପରିବାର ଲୋକେ ଏକ ରିକ୍ସାରେ ବସାଇ ଆଣୁଥିବା ସମୟରେ ରାସ୍ତାରେ ହିଁ ତାଙ୍କର ପ୍ରସବ ହୋଇଥିଲା। ପରେ ମା ଓ ଶିଶୁକୁ ସ୍ଥାନୀୟ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି।

You might also like