ପିଲାଙ୍କ ଆଖି ସାମ୍ନାରେ ମା’ର ଆତ୍ମହତ୍ୟା !

ଭୁବନେଶ୍ୱର/ପୁଣେ: ଦିନକୁ ଦିନ ବଢ଼ି ଚାଲିଥିଲା ସ୍ୱାମୀଙ୍କ ନିର୍ଯାତନା ଓ ଅକଥନୀୟ ଅତ୍ୟାଚାର। ଶେଷରେ ଦୁଇଟି ଛୋଟ ଛୁଆଙ୍କୁ ମା’ ଛେଉଣ୍ଡ କରି ଜୀବନ ହାରିଲେ ମହିଳା। ଦୁଇ କୋମଳମତି ଶିଶୁ କିଛି ବୁଝିବା ଆଗରୁ ମା’ଙ୍କୁ ହରାଇ ସାରିଥିଲେ। ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ।

ମୃତ ମହିଳାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ନାଁ ରଶ୍ମିତା ଦାସ। ତାଙ୍କର ଏକ ୧୦ ମାସର ପୁଅ ଓ ୬ ବର୍ଷର ଝିଅ ଅଛି। ତାଙ୍କ ସ୍ୱାମୀଙ୍କ ନାଁ ରାଜେନ୍ଦ୍ର।

ଦିନକୁ ଦିନ ସ୍ୱାମୀର ଅତ୍ୟାଚାର ବଢ଼ୁଥିବାରୁ ଏହାକୁ ଆଉ ସହ୍ୟ ନ କରିପାରି ଶେଷରେ ଦୁଇ ଛୋଟ ଛୋଟ ଛୁଆଙ୍କ ଆଖି ସାମ୍ନାରେ ରଶି ଲଗାଇ ଦେଲେ ରଶ୍ମିତା।

ସୂଚନା ଅନୁସାରେ, ମହାରାଷ୍ଟ୍ର ପୁଣେର ଭଗତ ସିଂହ ଚୌକ ଅଞ୍ଚଳରେ ରଶ୍ମିତା ସ୍ୱାମୀ ରାଜେନ୍ଦ୍ର ଓ ଦୁଇ ଛୁଆଙ୍କ ସହ ରହୁଥିଲେ। ଏକ ଘରୋଇ କଂପାନିରେ ରାଜେନ୍ଦ୍ର କାମ କରନ୍ତି। ବର୍ଷେ ହେବ ରାଜେନ୍ଦ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ରଶ୍ମିତା ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଶେଷରେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସେ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଏହାସହ ଆତ୍ମହତ୍ୟା ପାଇଁ ସେ ସ୍ୱାମୀ ରାଜେନ୍ଦ୍ରଙ୍କୁ ଦାୟୀ କରି ସୁଇସାଇଡ୍ ନୋଟରେ ଲେଖିଛନ୍ତି।

ରଶ୍ମିତାଙ୍କ ଭାଇ ଏ ନେଇ ସଙ୍ଗବୀ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like