ଲୁଟେରାଙ୍କୁ ମାଡ଼ି ବସିଲେ ମହିଳା

ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍‌ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା।

ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି ଏଭଳି ଘଟଣା। ମାର୍କେଟରୁ ସଉଦା କିଣି ଘରକୁ ଫେରୁଥିଲେ ଅଭିଜିତା ମହାପାତ୍ର ନାମକ ଏହି ମହିଳା। ଏହି ସମୟରେ ପଲ୍‌ସରରେ ଆସିଲେ ୨ ଜଣ ଲୁଟେରା। ଠିକଣା ପଚାରିବାର ଆଳ କରିଥିଲେ। ଆଉ ହଠାତ୍ ଅଭିଜିତାଙ୍କୁ ମାରିଥିଲେ ଧକ୍କା।

ଅଭିଜିତା ତଳେ ପଡ଼ିଯିବା ପରେ ବେକରୁ ସୁନା ଚେନ୍ ଟାଣି ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଲୁଟେରାଙ୍କୁ ସାହସର ସହ ମୁକାବିଲା କରିଥିଲେ ଅଭିଜିତା। ଲୁଟେରାଙ୍କ ଆକ୍ରମଣରେ ଆହତ ହେବା ସତ୍ତ୍ୱେ ଜଣଙ୍କୁ ଭିଡ଼ି ଧରି ଚିତ୍କାର କରିଥିଲେ ଅଭିଜିତା।

ଏହା ଶୁଣି ଲୋକେ ପହଞ୍ଚି ଲୁଟେରାକୁ କାବୁ କରିବା ସହ ପୁଲିସ୍‌ ଜିମା ଦେଇଥିଲେ। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଚମ୍ପଟ ମାରିବାରେ ସଫଳ ହୋଇଥିଲା।

ଲୁଟ୍ ନେଇ ଅଭିଯୁକ୍ତ ଲୁଟେରା ସ୍ୱୀକାର କରିବା ସହ ପୂର୍ବର ଚୋରା ଗଞ୍ଜେଇ କାରବାର କରୁଥିବା କହିଛି। ସେପଟେ ଲୁଟ୍ ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।  ସାହସିକତା ପାଇଁ ଅଭିଜିତାଙ୍କୁ କମିଶନରେଟ୍‌ ପୁଲିସ୍‌ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।

ଉଲ୍ଲେଖନୀୟ ଯେ,ନିକଟରେ ଜଣେ କରାଟେକା ଚିନ୍ମୟୀ ଭୂୟାଁ ଲୁଟେରାଙ୍କ ସହ ଏକୁଟିଆ ଲଢ଼ି ଦବଙ୍ଗ ଗର୍ଲ ଭାବେ ସାହସ ଦେଖାଇଥିଲେ। ୟୁନିଟ-୩ ଅଂଚଳରେ ଯୁବତୀ ଜଣଙ୍କ ଲୁଟ୍‌ର ଶିକାର ହେଲେ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ପାନେ ଦେଇଥିଲେ। କେତେବେଳେ କରାଟେକା ଚିନ୍ମୟୀ ତ କେତେବେଳେ ଅଭିଜିତାଙ୍କ ସାହସ ଏବେ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

 

You might also like