ଯୌତୁକ ପାଇଁ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇ ଦେଲେ

କେନ୍ଦ୍ରାପଡ଼ା: ଯୌତୁକ ରାକ୍ଷସ ଜୁଇରେ ଆଉ ଜଣେ ବୋହୂ। ଯୌତୁକ ଲୋଭ ଏତେ ଭୟଙ୍କର ହୋଇଗଲା ଯେ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇବାକୁ ପଛାଇଲେ ନାହିଁ ଶାଶୂ ଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ମୃତକଙ୍କ ନାଁ ଭାରତୀ ସ୍ୱାଇଁ। ତାଙ୍କ ଘର ବାଲିସୁଆଁ ଗାଁରେ। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ୨ ବଖରା ଘର ମଧ୍ୟ ପୋଡ଼ି ଯାଇଛି।

ସେପଟେ ଏହି ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଯୌତୁକ ପାଇଁ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ଶାଶୂ ଓ ୩ ନଣନ୍ଦ ନିଆଁ ଲଗାଇ ଦେଇଛନ୍ତି।

ଶାଶୂ ଘର ଲୋକେ ବାରମ୍ବାର ଏଭଳି ଯୌତୁକ ନିର୍ଯାତନା ଦେଉଥିଲେ ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସେପଟେ ନିଆଁ ଲାଗି ଯିବା ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ମହିଳା ଜଣଙ୍କ କିଛି ଲୋମ ଟାଙ୍କୁରା କଥା କହିଛନ୍ତି। ତାଙ୍କୁ ବାନ୍ଧି ପକାଇ ଶାଶୁ ଓ ୩ ନଣନ୍ଦ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ମହିଳା ଜଣକ କହିଥିଲେ। ଯାହାକୁ କିଛି ଲୋକେ ମୋବାଇଲ୍‌ରେ ରେର୍କଡିଂ କରିଥିଲେ।

ଅନ୍ୟପଟେ, ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

 

You might also like