ମହିଳାଙ୍କୁ ପିଟି ଘୁଷୁରୀ ବିଷ୍ଠା ଖୁଆଇଲେ ଗୁଣିଆ

ମାଲକାନଗିରି: ଅନ୍ଧବିଶ୍ୱାସର କୁପରିଣତି। ଗୁଣି ଗାରେଡ଼ି ସନ୍ଦେହରେ ବିବାହିତ ମହିଳାଙ୍କୁ ମାଡ଼ ମରାଯିବା ସହ ଖୁଆଇଲେ ଘୁଷୁରୀ ବିଷ୍ଠା। ମାଲକାନଗିରି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ଅନୁଯାୟୀ, ଗତ ସପ୍ତାହେ ତଳେ ମାଲକାନଗିରି ଜିଲ୍ଲା ଏମଭି-୬ ଗାଁର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ଭୂତ ଲାଗିଛି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକେ ଭୂତ ଛଡ଼ାଇବା ପାଇଁ ଜଣେ ଗୁଣିଆଙ୍କୁ ଡାକିଥିଲେ। ଭୂତ ଛଡ଼ାଇବା ପାଇଁ ଗୁଣିଆ ଜଣକ ସମ୍ପୃକ୍ତ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମୁହଁରେ ନିଆଁ ଝାସ ଦେଇଥିଲେ। ଏପରିକି ଗୁଣିଆ ଜଣକ ମହିଳାଙ୍କୁ ଘୁଷୁରୀ ବିଷ୍ଠା ମଧ୍ୟ ଖୁଆଇଥିଲେ। ଶେଷରେ ଘଟଣାସ୍ଥଳରୁ ଗୁଣିଆ ଜଣକ ଚାଲି ଯାଇଥିଲେ।

ଗୁଣିଆଙ୍କ ମାଡ଼ରେ ମହିଳା ଜଣକ ଗୁରୁତର ଆହତ ହେବା ସହ ତାଙ୍କ ମୁହଁ ପୋଡ଼ି ଯାଇଥିଲା। ଯନ୍ତ୍ରଣାର ଛଟପଟ ହେଉଥିଲେ ମଧ୍ୟ ପରିବାର ଲୋକେ ଭୂତ ଲାଗିଥିବା କହିଥିଲେ।

ଖବରପାଇ ସ୍ଥାନୀୟ ଅଞ୍ଚଳର ଆଶା ଦିଦି, ଅଙ୍ଗନବାଡ଼ି ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପରିବାର ଲୋକଙ୍କୁ ବୁଝାଇଥିଲେ ଓ ଗୁରୁତର ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଗତ ମାସକ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

You might also like