ଏ କେମିତିକା ମା’ ? ବିଚ୍‌ ରାସ୍ତାରେ ସନ୍ତାନକୁ ଗୋଇଠା, ବିଧା ମାରିଲେ

ଭୁବନେଶ୍ୱର: ମା’ର ହୃଦୟ ସବୁବେଳେ ତା’ର ସନ୍ତାନ ପାଇଁ ମମତାରେ ଭରି ଥାଏ। ସନ୍ତାନର ଆଖିରେ ଲୁହ ଦେଖିଲେ ମା’ର ଅନ୍ତର କାନ୍ଦି ଉଠେ। ହେଲେ ଏ କେମିତିକା ମା’ ? ଯିଏକି ବିଚ୍‌ ରାସ୍ତାରେ ନିଜ ସନ୍ତାନକୁ ଗୋଇଠା, ବିଧା ମାରୁଛନ୍ତି। ଛୁଆ ଟ୍ୟୁସନ୍‌ ଯିବାକୁ ରାଜି ନହେବାରୁ ଜଣେ ମହିଳା ତାଙ୍କର ସନ୍ତାନକୁ ରାସ୍ତାରେ ଗୋଇଠା, ବିଧା ମାରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌‌ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା।

ମହିଳା ଜଣକ ଛୁଆଟିକୁ ଏମିତି ନିର୍ଦ୍ଦୟ ଭାବେ ପିଟିଥିଲେ ଯେ, ରାସ୍ତାରେ ଯାଉଥିବା ଲୋକେ ବି ଏହା ଦେଖି ସହି ପାରିନଥିଲେ। ଶେଷରେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ଏଥିରେ ହସ୍ତକ୍ଷେପ କରି ଛୁଆଟିକୁ ଉଦ୍ଧାର କରିଥିଲେ।

ଛୁଆଟିକୁ ମା’ ନିର୍ଦ୍ଦୟ ଭାବେ ମାଡ଼ ମାରୁଥିବାର ଦୃଶ୍ୟକୁ ଜଣେ ବ୍ୟକ୍ତି କଏଦ କରି ପୋଲିସକୁ ଟ୍ୱିଟ୍‌ କରିଥିଲେ। ଏହା ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲା। ମହିଳାଙ୍କୁ ଥାନାକୁ ଡାକି ଚାଇଲ୍ଡ ଲାଇନ୍‌ କାଉନସିଲଙ୍କ ଉପସ୍ଥିତିରେ ଏପରି ନ କରିବାକୁ ବୁଝା ଯାଇଥିଲା। ପରେ ପୋଲିସ ୪୧ ସିଆରପିସିରେ ମହିଳାଙ୍କୁ ନୋଟିସ କରି ଛାଡ଼ି ଦେଇଥିଲେ।

ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଜଣେ ମହିଳା ତାଙ୍କର ଛୋଟ ଛୁଆକୁ ମାଡ଼ ମାରୁଥିବାର ଦୃଶ୍ୟକୁ ଟ୍ୱିଟ୍‌ କରି ଜଣେ ବ୍ୟକ୍ତି କମିଶନରେଟ ପୋଲିସ୍‌କୁ ଟ୍ୟାଗ୍‌ କରିଥିଲେ। ଏହାପରେ ଏୟାରଫିଲ୍ଡ ଥାନା ଅଧିକାରୀ ଘଟଣାର ତଦନ୍ତ କରି ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରିଥିଲେ। ଟ୍ୟୁସନ୍‌ ଯିବାକୁ ରାଜି ନହେବାରୁ ରାଗିକି ଛୁଆକୁ  ପିଟିଥିବା ମହିଳା ଜଣକ କହିଥିଲେ। ଚାଇଲ୍ଡ ଲାଇନ୍‌କୁ ଡକାଯାଇ ସମ୍ପୃକ୍ତ ମହିଳା ଓ ଶିଶୁଟିର କାଉନସେଲିଂ ମଧ୍ୟ କରାଯାଇଛି। ଏହାସହ ୪୧ ସିଆରପିସିରେ ମହିଳାଙ୍କୁ ନୋଟିସ କରି ଛାଡ଼ି ଦିଆଯାଇଛି।

You might also like