• ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍ ନିର୍ଦ୍ଦେଶ
  • ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
  • ଏନେଇ ସବୁ ZDCଙ୍କୁ ବିଏମସି ଡେପୁଟି କମିଶନରଙ୍କ ଚିଠି
  • ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ ନିର୍ଦ୍ଦେଶ
  • ଏନେଇ ନିର୍ଦ୍ଦେଶନାମା ଜାରି କଲା ଭୁବନେଶ୍ୱର ମହାନଗର ନିଗମ
  • ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ୱାର୍ଡ ଅଫିସର ZDCଙ୍କୁ ଜଣାଇବେ

ଭୁବନେଶ୍ୱର: ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଛି । ଏନେଇ ନିର୍ଦ୍ଦେଶନାମା ଜାରି କଲା ଭୁବନେଶ୍ୱର ମହାନଗର ନିଗମ, ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ୱାର୍ଡ ଅଫିସର ZDCଙ୍କୁ ଜଣାଇବେ ବୋଲି ମିଳିଛି ସୂଚନା। ଏନେଇ ସବୁ ZDCଙ୍କୁ ବିଏମସି ଡେପୁଟି କମିଶନର ଚିଠି ଲେଖିଛନ୍ତି। ଏହାସହ ଯେଉଁମାନେ ଟ୍ୟାକ୍ସ ଦେବେ ନାହିଁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବ ବୋଲି ସୂଚନା ରହିଛି। OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ କରିବା ଲାଗି ଦିଆଗଲା ନିର୍ଦ୍ଦେଶ। ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ  ମଧ୍ୟ କରାଯାଇଥିବା ନେଇ ସୂଚନା ମିଳିଛି।

ତେବେ ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଥିଲା। ବିଏମ୍ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ବିରୋଧୀଙ୍କ ଜୋରଦାର ବିରୋଧ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିକଟରେ ବଢ଼ାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ଲୋକେ ବିରୋଧ କରି ଆସୁଥିବା ବେଳେ ମାର୍ଚ୍ଚ ୧୨ରେ ସରକାରଙ୍କୁ ଘେରିଥିଲା ବିରୋଧୀ। ଭୁବନେଶ୍ୱର ଜିଲ୍ଲା ବିଜେପି ମାର୍ଚ୍ଚ ୧୨ରେ ଘେରାଉ କରିଥିଲା ବିଏମସି କାର୍ଯ୍ୟାଳୟ।

ଦଳ ଅଭିଯୋଗ କରିଥିଲା ଯେ, କୌଣସି କମିଟି ଗଠନ ଏବଂ ବିଚାରବିମର୍ଶ ବିନା ଅପ୍ରତ୍ୟାଶିତ ଭାବରେ ହୋଲଡିଂ ଟିକସ ବୃଦ୍ଧି କରି ଲୋକଙ୍କ ଉପରେ ଜିଜିଆ କର ଲଦିଛି ବିଏମସି। ସେହିଭଳି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମଧ୍ୟ ସାମନ୍ତରାପୁରସ୍ଥିତ ବିଏମସି ଜୋନାଲ କାର୍ଯ୍ୟାଳୟ ଘେରାଉ କରିଥିଲା। କରୋନା କାଳରେ ହୋଲଡିଂ ଟିକସ ବୃଦ୍ଧିକୁ ଦଳ ବୋଝ ଉପରେ ନଳିତା ବିଡା ବୋଲି କହିଛି ଦଳ।

୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ଦେବାକୁ ପଡୁଛି ହୋଲଡିଂ ଟ୍ୟାକ୍ସ। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି ଆଉ ଯାହାକୁ ବିରୋଧ କରିଛନ୍ତି ସାଧାରଣ ଜନତା। ସେପଟେ ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ଯୁକ୍ତି ରଖିଛି ବିଏମସି।

ତେବେ ଏତେ ଆନ୍ଦୋଳନ ପରେ ବି ବିଏମସି ନିଜ ନିଷ୍ପତ୍ତି ବଦଳାଇ ନାହିଁ। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ,ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ ହେବ ବୋଲି ଜଣାପଡିଛି।

Other Stories