ଜଳ ଯନ୍ତ୍ରଣାରୁ ମିଳୁନି ମୁକ୍ତି

ବାରିପଦା (ମାଣିକଲାଲ୍ ପାଣି)/ଯାଜପୁର (ଗୁଲାମ୍ ଗସ୍‌) :  ସରକାର ପରେ ସରକାର ପରିବର୍ତ୍ତନ ହେଉଛନ୍ତି। ହେଲେ ଟୋପାଏ ପାଣି ପାଇଁ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ କିନ୍ତୁ ପରିବର୍ତ୍ତନ ଆସିପାରୁନି।

ଅନ୍ୟାନ୍ୟ କଥା ଛାଡନ୍ତୁ, ପିଇବା ପାଣି ଭଳି ମୌଳିକ ସୁବିଧା ସେମାନଙ୍କୁ ମିଳୁପାରୁନି ବର୍ଷ ବର୍ଷ ଧରି। ଆଜି ବି ନଈ, ନାଳ, କୁଅ, ପୋଖରୀ ପାଣି ପିଇ ଜୀବନ ଧାରଣ କରିବାକୁ ପଡ଼ୁଛି ଗାଁ ଲୋକଙ୍କୁ। ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ଭୋଟରଙ୍କ ମୁଦ୍ଦାରେ ବାରିପଦା ଓ ଧର୍ମଶାଳା ଅଞ୍ଚଳରୁ ଏହି ରିପୋର୍ଟ।

ଜଳ ପାଇଁ ନାନା ଯନ୍ତ୍ରଣା ଏଠାରେ। କିଏ ଗରାଏ ପାଣି ପାଇଁ ତ ଆଉ କିଏ ମାଠିଏ ପାଣି ପାଇଁ ଚାଲୁଛନ୍ତି ମାଇଲ୍ ମାଇଲ୍ ବାଟ । ନା ପୁରୁଷ ନା ମହିଳା। କାହା କାନ୍ଧରେ ଭାର ତ ଆଉ କାହା କାଖରେ ଗରା, ମାଠିଆ। ରାତି ପାହିଲେ ଏଭଳି ଭାବେ ପାନୀୟ ଜଳ ପାଇଁ ଯିବାକୁ ହୁଏ ଅନେକ ବାଟ। ତାପରେ ନଈ ବାଲିରେ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ହୁଏ।

ଦିନ କି ମାସ ନୁହେଁ, ବର୍ଷ ବର୍ଷ ଧରି ଏଭଳି ସଂଘର୍ଷ କରୁଛନ୍ତି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍‌ ଅଞ୍ଚଳବାସୀ। ବିଶେଷ କରି ଠେଙ୍ଗାତାଣ୍ଡି, ତିରିଲ୍‌ଡିହି, ଗୁଲିଡିହି, ମୁରୁତଲା ଆଦି ୩ଟି ସାହିର ଶତାଧିକ ପରିବାରକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ। ଗାଁରେ ୨ଟି ନଳକୂଅ ଥିଲେ ବି ସେଥିରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହଁ ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ପାହାଡି ଇଲାକା ପଣ୍ଡୁଆ ଗାଁ। ଗ୍ରୀଷ୍ମ ଆରମ୍ଭ ହେବା କ୍ଷଣି ପଣ୍ଡୁଆ ବାସିଙ୍କ ବଢ଼ିଯାଏ ଜଳକଷ୍ଟ। ପ୍ରତିବର୍ଷ ଭଳି ଏଥର ବି ଶୁଖିଗଲାଣି ଏହି ଗଭୀର କୂଅ। ଫଳରେ ସାହା ଭରସା ପାଲଟିଛି ଜଣେ ପଡୋଶୀଙ୍କ ଏହି ଗୋଟିଏ ମାତ୍ର ନଳକୂଅ। ୫୦ରୁ ଅଧିକ ପରିବାର ବସବାସ କରୁଥିବା ପଣ୍ଡୁଆ ଗାଁ ଲୋକେ ପାନୀୟ ଜଳ ପ୍ରକଳ୍ପ ଟିଏ ପାଇଁ ପ୍ରଶାସନକୁ ହାରିଗୁହାରୀ କରିଛନ୍ତି। ଅଥଚ କେହି ସେମାନଙ୍କ ଗୁହାରୀ ଶୁଣୁନଥିବାବେଳେ ଲୋକଙ୍କ ଦାବି, ଯେକୌଣସି ମତେ ପାନୀୟ ଜଳ ପ୍ରକଳ୍ପଟିଏ ହେଉ।

ତେବେ ଉଭୟ ଘଟଣାରେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆଭିମୁଖ୍ୟ ଯାହା ଥାଉନା କାହିଁକି, ଦୁଇଟି ଗାଁର ଏହି ଅଭାବନୀୟ ଚିତ୍ର ହିଁ ବୟାନ କରୁଛି, ଗ୍ରାମାଞ୍ଚଳରେ କେତେ ହୋଇଛି ବିକାଶ।

You might also like