ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ତୀବ୍ର ହେଉଛି ଟିକା କେନ୍ଦ୍ରରେ ଫଟୋ କଳି । ପ୍ରଥମେ ଟିକାକରଣ କେନ୍ଦ୍ରରେ ଦୁଇଦଳ ମୁହାଁମୁହିଁ ହେବା ପରେ ଆଜି ଟୁଇଟରରେ ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଦଳ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାନଯିବା ଅସୁରକ୍ଷିତ ଭାବ ଓ ହୀନମନ୍ୟତାର ପରିଚୟ । ସେପଟେ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେଡି କେବେ ରାଜନୀତି କରିନି, ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ ବୋଲି ବିଜେଡି ସାଂସଦ ସସ୍ମିିତ ପାତ୍ର କାଉଣ୍ଟର କରିଛନ୍ତି । ତେବେ ଘଟଣାରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ମନ୍ତବ୍ୟ ଟୁଇଷ୍ଟ ଆଣିଛି । ତେଣେ ଟିକା ପ୍ରସଙ୍ଗରେ ପୁଣିଥରେ ବିରୋଧୀଙ୍କୁ ଶବ୍ଦବାଣରେ ଘାଇଲା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ ଚିରା, ବିଭିନ୍ନ ସ୍ଥାନରେ ସିଡିଏମ୍ଓଙ୍କୁ ଘେରାଉ । ଭ୍ୟାକ୍ସିନେସନ୍ ସେଣ୍ଟରରେ ଧସେଇ ପଶିବା, ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା । ଏଭଳି ଘଟଣା ଏବେ ବାରମ୍ବାର ସାମ୍ନାକୁ ଆସୁଛି । ବୌଦ୍ଧର ଏକ ଟିକାକରଣ କେନ୍ଦ୍ରରେ ଗତକାଲି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ଲଗାଯାଇଥିବା ଏକ ପୋଷ୍ଟରକୁ, ଆଜି ବିଜେଡି କର୍ମୀମାନେ ବାହାର କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଣେ ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକା କେନ୍ଦ୍ରରେ ଆଜି ପୁଣି ଉତ୍ତେଜନା ଦେଖାଦେଇଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ଟିକାକରଣ କେନ୍ଦ୍ରରେ ଲାଗିଥିବା ପୁସିଂ-କାର୍ଡ ପିଙ୍ଗିଥିଲେ ।

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯିବାକୁ ନେଇ ୩ ଦିନ ହେଲା ଏଭଳି ବିବାଦ ଲାଗିରହିଛି । ଗ୍ରାଉଣ୍ଡ ଲେବୁଲରେ ଏଭଳି ଛକାପଞ୍ଝା ଚାଲିଥିବା ବେଳେ ସୋସିଆଲ୍ ମିଡିଆରେ ବି ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ଲଗାନଯିବା ରାଜ୍ୟ ସରକାରଙ୍କ ଅସୁରକ୍ଷିତ ଭାବନା ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଟୁଇଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି ମଧ୍ୟ ଲେଖିଛନ୍ତି, ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା, କେନ୍ଦ୍ରର ସହଯୋଗ ଲୋଡିବାରୁ ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ । ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରତ୍ୟେକ କେନ୍ଦ୍ରରେ ଲଗାଯିବା ଉଚିତ୍ ।

ଏହାର ଜବାବରେ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରିଛନ୍ତି ଯେ, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି । ଅନ୍ୟଦଳମାନେ ଏହାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି କିନ୍ତୁ ଏହାକୁ କେବେ ପ୍ରସଙ୍ଗ କିମ୍ବା ରାଜନୀତି କରିନାହିଁ । ଟିକା ଯୋଗାଣ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ ଟୁଇଟ୍ କରିଛନ୍ତି ।

ସେପଟେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, କାହାର ଫଟୋ ନଲାଗି କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଲାଗୁ ।

ସେପଟେ ଟିକାକରଣ ପ୍ରସଙ୍ଗରେ ଜାତୀୟ ସ୍ତରରେ ମଧ୍ୟ ରାଜନୀତି ତୀବ୍ର ହୋଇଛି । ଟିକାକରଣ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ବିରୋଧୀ ଉଦ୍ୟମ କରୁଥିବା ଦୋହରାଇ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

୧୯ ନିର୍ବାଚନ ପରେ ବିଜେପି-ବିଜେଡି ମଧ୍ୟରେ ମଧୁର ସଂପର୍କ ରହିଥିବା ଅଭିଯୋଗ ହୋଇଥିଲା ତେବେ ଟିକା କେନ୍ଦ୍ରରେ ଫଟୋକୁ ନେଇ ଯେମିତି କଳି ଚାଲିଛି, ତାହା ଅନ୍ୟ ରାଜନୈତିକ ସମୀକରଣ ଆଡକୁ ସଙ୍କେତ ଦେଉଛି କି ? ରାଜନୀତି ବିଶେଷଜ୍ଞଙ୍କ ମହଲରେ ଏଭଳି ଚର୍ଚ୍ଚା ଆରମ୍ଭ ହେଲାଣି ।

Other Stories