ଭୁବନେଶ୍ୱର: ଚାରିବର୍ଷରେ ବନ୍ଦ ହେଲାଣି ୫ ଇଞ୍ଜିନିୟରିଂ କଲେଜ୍ । ବର୍ଷକୁ ବର୍ଷ ଇଞ୍ଜିନିୟରିଂ ସିଟ୍ କମୁଛି। ତଥାପି ସେଥିରୁ ଖାଲି ପଡୁଛି ପ୍ରାୟ ୭୦ ପ୍ରତିଶତ ସିଟ୍। ନିଯୁକ୍ତି ସୁଯୋଗ ନଥିବାରୁ ରାଜ୍ୟରେ ଇଞ୍ଜିନିୟରିଂ ପାଠ ଲାଗି ମନବଳାଉ ନାହାଁନ୍ତି ଛାତ୍ରଛାତ୍ରୀ।
ଭୁବନେଶ୍ୱରର ରାଜେଶ ନାୟକଙ୍କ କଥା ପଢନ୍ତୁ। ଦୁଇ ବର୍ଷ ହେବ ବି.ଟେକ୍ ସାରି ଇଞ୍ଜିନିୟରିଂ ଡିଗ୍ରୀ ହାତରେ ଧରି ଚାକିରି ପାଇଁ ଏ ଅଫିସ୍ ସେ ଅଫିସ୍ ଦଉଡ଼ୁଛନ୍ତି। ହେଲେ ବହୁ ଚେଷ୍ଟା ପରେ ବି ମିଳୁନି ଚାକିରି।
ଇଞ୍ଜିନିୟରିଂ ପରେ ରାଜ୍ୟରେ ନିଯୁକ୍ତି ସୁଯୋଗ ନଥିବାରୁ କିଏ ରାଜ୍ୟ ବାହାରକୁ ଯାଉଛନ୍ତି ତ ଆଉ କିଏ ସ୍ୱଳ୍ପ ଦରମାରେ ରାଜ୍ୟରେ ଚାକିରୀ କରିବାକୁ ବାଧ୍ୟ ହେଉଛନ୍ତି। ଆଉ ସେପଟେ ପ୍ରତିବର୍ଷ ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ କଲେଜ୍ର ସିଟ୍ କ୍ରମାଗତ ଭାବେ କମାଯାଉଛି ଚଳିତ ବର୍ଷ ଇଞ୍ଜିନିୟରିଂ କଲେଜ୍ରେ ସିଟ୍ ଖାଲି ପଡୁଥିବାରୁ ୪ ହଜାର ୭୩ ସିଟ୍କୁ AICTE ଗାଇଡ୍ ଲାଇନ୍ ଅନୁଯାୟୀ ହ୍ରାସ କରାଯାଇଛି।
ଯେଉଁଥିରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ସରକାରୀ ଇଞ୍ଜିନିୟରିଂ କଲେଜର ଦୁଇଟି ବିଭାଗରୁ ୧୨୦ ସିଟ୍ କଟିଛି। ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ୍ ସଂଘ, ଓପେପାର ମତ ହେଲା, ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତିର ଅଭାବ ଇଞ୍ଜିନିୟରିଂ ସିଟ୍ ଖାଲି ପଡ଼ିବାର ମୁଖ୍ୟ କାରଣ।
ରାଜ୍ୟରେ ବର୍ତ୍ତମାନ ୮୦ଟି ଘରୋଇ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ୍ ରହିଛି। ତେବେ ୨୦୧୭ରେ ଇଞ୍ଜିନିୟରିଂ କଲେଜ୍ ସିଟ୍ ସଂଖ୍ୟା ୪୪ ହଜାର ୭୩୯ ଥିବାବେଳେ ୩୦ ହଜାର ୪୪୬ ସିଟ୍ ଖାଲି ପଡ଼ିଥିଲା। ସେହିପରି ୨୦୧୮ରେ ମୋଟ୍ ସିଟ୍ କମି ୩୮ ହଜାର ୨୩୪ରେ ପହଞ୍ଚିଲା। ତଥାପି ବଳକା ପଡ଼ିଲା ୨୬ ହଜାର ୧୭୮ ସିଟ୍।
ଗତ ଚାରି ବର୍ଷ ଭିତରେ ୫ଟି ଇଞ୍ଜିନିୟରିଂ କଲେଜ୍ରେ ଆଡମିଶନ୍ ନହେବାରୁ ସମ୍ପୂର୍ଣ୍ଣ ବନ୍ଦ ହେଲା ବୈଷୟିକ ଶିକ୍ଷା। ବିଶେଷଜ୍ଞଙ୍କ ମତରେ ବିପିୟୁଟି ଶିକ୍ଷା ପ୍ରଣାଳୀର ମାନ କମୁଥିବାରୁ ଇଞ୍ଜିନିୟରିଂ ପାଠ ପ୍ରତି ଆଗ୍ରହ କମୁଛି। ସେହିପରି ଶିଳ୍ପ ବିଶେଷଜ୍ଞଙ୍କ କହିବା ହେଲା ନିଯୁକ୍ତିର ଯଥେଷ୍ଟ ସୁଯୋଗ ରହିଛି। ମାତ୍ର ଭଲ ଇଞ୍ଜିନିୟର ବାହାରି ପାରୁନାହାଁନ୍ତି, ଯାହା ଫଳରେ ଚାକିରି ମିଳୁନି।
ଏବେ ପ୍ରଶ୍ନ ଉଠୁଛି କଲେଜ୍ରୁ ଦକ୍ଷ ଇଞ୍ଜିନିୟର କିପରି ବାହାରିବେ ,ଶିଳ୍ପ ସଂସ୍ଥାଗୁଡ଼ିକର ଚାହିଦା ପୂରଣ କରୁଥିବା ପାଠ୍ୟକ୍ରମ କେବେ ଲାଗୁ ହେବ, ଆଉ ଯଦି ସଂସ୍କାର ନଆସେ ତାହାଲେ ଆଗକୁ ଆହୁରି ଇଞ୍ଜିନିୟରିଂ ଶିକ୍ଷାର ଭବିଷ୍ୟତ କଣ ହେବ ?
https://youtu.be/um1wt5Bi08Q