ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ଫିଟିବ ତାଲା !

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ। ଅବଶ୍ୟ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସୁନି କିନ୍ତୁ ଟେଷ୍ଟ ପଜିଟିଭିଟି ରେଟ୍ ୮ ତଳକୁ ଖସି ଆସିଥିବାରୁ କରୋନା ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧର କଣ ରହିବ ଆଗାମୀ ରଣନୀତି? ଜୁନ୍ ୧୭ ପରେ ଅନଲକ୍‌କୁ ଯିବ କି ଓ଼ଡ଼ିଶା? ଜୀବନ ସହ ଜୀବିକାକୁ ପ୍ରାଥମିକତା ଦେଇ ଆରମ୍ଭ ହେବ କି ତାଲାଖୋଲା ପ୍ରକ୍ରିୟା ? ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।

ସ୍ୱାସ୍ଥ୍ୟ ବିଭାଗ କହୁଛି, ଏବେ ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି ହେଲେ ଯେଉଁଠି ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହୁଛି, ସେଠି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି ତେବେ ରଜ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏମିତିକି ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଡିଏମ୍ଇଟି ସିବିକେ ମହାନ୍ତି ବି କହିଛନ୍ତି- ପରିସ୍ଥିତି ସୁଧୁରିଲେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ ହେଲେ କରୋନା କମୁଛି ଭାବି ସଚେତନ ନହେଲେ ବିପଦ।

ମୋଟାମୋଟି ଭାବେ ଯଦିଓ ରାଜ୍ୟରେ ସଂକ୍ରମଣ କମୁଛି, ହେଲେ ଅନେକ ଜିଲ୍ଲାର ସ୍ଥିତି ଏବେ ବି ଚିନ୍ତାଜନକ। ସରକାରୀ ତଥ୍ୟ କହୁଛି- ରେଡ୍ ଜୋନ୍‌ରେ ଥିବା ୧୪ ଜିଲ୍ଲା ଭିତରୁ ୭ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ଏବେ ବି ୧୦ ପ୍ରତିଶତ ଉପରେ। ଯାଜପୁରରେ ଟେଷ୍ଟ ପଜିଟିଭିଟି ରେଟ୍ ସର୍ବାଧିକ ୨୦.୮ ପ୍ରତିଶତ ରହିଥିବା ବେଳେ କଟକରେ ୧୩.୯, ପୁରୀରେ ୧୨.୭, ଖୋର୍ଦ୍ଧାରେ ୧୨.୬, ମୟୂରଭଞ୍ଜରେ ୧୨.୧, ନୟାଗଡ଼ରେ ୧୨ ଏବଂ କେନ୍ଦ୍ରାପଡ଼ାରେ ୧୦.୧ ପ୍ରତିଶତ ରହିଛି। ଏପରିକି ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ୍ ଉପରମୁହାଁ ରହିଛି। ତେଣୁ ଏଇସବୁ ଜିଲ୍ଲା ଉପରେ ଏବେ ସବୁଠୁ ଅଧିକ ଫୋକସ୍।

ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ବ୍ରେକ୍ ନଲାଗିବା ଚିନ୍ତା ବଢ଼ାଇଛି। ଗଲା ୨୪ ଘଣ୍ଟାରେ ମହାମାରୀ ଆଉ ୪୨ ଜଣଙ୍କ ଜୀବନ ବି ନେଇଛି। ହେଲେ ସ୍ବାସ୍ଥ୍ୟ ବିଭାଗର ଆକଳନ, ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଭଳି ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ। ତେଣୁ ଏଭଳି ସ୍ଥିତିରେ ରଜ ସରିବା ପରେ ଜୀବନ ଜୀବିକା ସହ ସନ୍ତୁଳନ ରକ୍ଷା କରି ସରକାର କି ପଦକ୍ଷେପ ନେଉଛନ୍ତି। ଏବେ ତା ଉପରେ ସାରା ରାଜ୍ୟର ନଜର।

You might also like