ପୁଣି ଥରେ ରାଜ୍ୟରେ ହେବ କି ଲକଡାଉନ?

ପୁଣି ଭୟଙ୍କର ରୂପ ଧରିବ କି ମହାମାରୀ?

  • ପୁଣି ଭୟଙ୍କର ରୂପ ଧରିବ କି ମହାମାରୀ?
  • ବେକାବୁ ହେବ କି ମହାରାଷ୍ଟ୍ର ସ୍ଥିତି?
  • ପୁଣି ଥରେ ଠପ୍ ହୋଇଯିବ କି ଜୀବନ ଯାତ୍ରା?

ମୁମ୍ବାଇ: ଆସିବ କି କରୋନାର ଦ୍ୱିତୀୟ ଲହରୀ? ଉଗ୍ରରୂପ ନେବ କି ନୂଆ ଷ୍ଟ୍ରେନ୍? ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଏବେ ବଢାଇ ଦେଇଛି ଏମିତି କିଛି ଆଶଙ୍କା। ସଂକ୍ରମଣ ଦ୍ରୁତ ହାରରେ ବଢୁଥିବାରୁ ମହାରାଷ୍ଟ୍ରର ଏକାଧିକ ଜିଲ୍ଲାରେ ଲକଡାଉନ ଓ କର୍ଫ୍ୟୁ ଭଳି ପଦକ୍ଷେପ ନେଲେଣି ସେଠାକାର ସରକାର। ଏପଟେ ଓଡ଼ିଶାରେ କାଳେ କରୋନା ପୁଣି କଡ଼ ଲେଉଟାଇବ ସେ ଆଶଙ୍କାରେ ସରକାର। କୋଭିଡ୍ ନିୟମ ମାନିବା ସହ ସଚେତନ ଲାଗି ଡାକବାଜି ଯନ୍ତ୍ର ବି ବୁଲିଲାଣି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସରକାର ଯେଉଁ ଚିନ୍ତା କରୁଥିଲେ ତାହା ଉପରେ ବି ଲାଗିଛି ବିରାମ।

ଗତ ସପ୍ତାହେ ହେଲା ମହାରାଷ୍ଟ୍ରରେ ଦୈନିକ ୫ ହଜାରରୁ ଅଧିକ ବ୍ୟକ୍ତି କୋଭିଡରେ ସଂକ୍ରମିତ ହେବା ପରେ ସୃଷ୍ଟି ହେଲାଣି ଏମିତି ଆଶଙ୍କା। ସେଠାକାର ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ସ୍ଥାନରେ ଲକଡାଉନ ଓ କର୍ଫ୍ୟୁ ଭଳି ଚରମ ପଦକ୍ଷେପ ବି ନେଲେଣି। ଲକଡାଉନ ଓ କର୍ଫ୍ୟୁ ପରେ କୋଳାହଳ ହେଉଥିବା ସହର ଗୁଡ଼ିକ ଏବେ ପୂରା ଖାଁ ଖାଁ ହୋଇଯାଇଛି। ଅମରାବତୀରେ ସଂକ୍ରମଣ ବଢିବା ପରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ।

ନାଗପୁରରେ ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ୭ ଯାଏଁ କଡ଼ା କଟକଣା ଜାରି ହୋଇଥିବା ବେଳେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ପୁଣେରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ଏହାପରେ ସଂକ୍ରମଣ ଗ୍ରାଫରେ ଟିକିଏ ରୋକ୍ ଲାଗିଛି। ଏପଟେ କାଳେ ପୁଣିି ଲକଡାଉନ ଘୋଷଣା ହେବ ସେଇ ଆଶଙ୍କାରେ କ୍ୟାନ୍ସର ଭଳି ବ୍ୟାଧିର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ରୋଗୀ ଫେରି ଆସୁଛନ୍ତି।

ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଯୋଗୁ ଓଡ଼ିଶାରେ ଛନକା ପସିଲାଣି। କାଳେ କରୋନା ପୁଣି କଡ଼ ଲେଉଟାଇବ ସେ ଆଶଙ୍କାରେ କଡ଼ା ହେଲାଣି ଗାଇଡ୍ଲାଇନ୍। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢା ନେଇ ଏଯାଏ ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସେପଟେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଗାଇଡ୍ଲାଇନ୍ ମାନିବାକୁ ଜିଲ୍ଲାରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି।

ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ଟିକାକରଣ ଚାଲିଥିବା ବେଳେ ଏହା ନୂଆ ଷ୍ଟ୍ରେନ ବିରୋଧରେ କାମ କରୁଥିବା କହିଛନ୍ତି କୋଭାକ୍ସିନର ଓଡ଼ିଶା ଗବେଷଣା ମୁଖ୍ୟ। କେବଳ ଟିକା ସଂପୂର୍ଣ୍ଣ ସୁରକ୍ଷା ଦେବ ବୋଲି ଆଶା ରଖିବା ଭୁଲ। ଏଣୁ ଟିକା ସହ କୋଭିଡ୍ ଗାଇଡ୍ଲାଇନ୍ ମାନିବାକୁ ସେ ପରାମର୍ଶ ଦେଇଛନ୍ତି।

ଦେଶରେ ଆଜି ୧୦ ହଜାର ୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣଙ୍କ ଜୀବନ ନେଇଛି କରୋନା। ଏପଟେ ରାଜ୍ୟରେ ଆଜି ୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସକ୍ରିୟ ରୋଗୀ ରହିଛନ୍ତି ୬୩୪ ଜଣ।

You might also like