ଅକ୍ସିଜେନ୍‌ ଗାଡ଼ିକୁ ରୋକିଲେ ଫାଶିଖୁଣ୍ଟରେ ଝୁଲାଇଦେବୁ: ହାଇକୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ସତେ ଯେମିତି ପାଲଟିସାରିଛି କରୋନା ରାଜଧାନୀ। ଏଠାରେ ସଂକ୍ରମଣ ହାର ଥମିବାର ନାଁ ନେଉନଥିବା ବେଳେ, ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ଘଟିଛି। କେବଳ ରୋଗ ଜୀବନ ନେଉନି, ଅମ୍ଳଜାନର ଅଭାବ ବି ଯମଦୂତ ଭଳି ଦିଲ୍ଲୀର ସ୍ଥିତି ଅଧିକରୁ ଅଧିକ ବିଗାଡ଼ିବାରେ ଲାଗିଛି। ଦିଲ୍ଲୀରେ ଉପୁଜିଥିବା ଭୟଙ୍କର ଅମ୍ଳଜାନ ସଂକଟର ମୁକାବିଲା ଲାଗି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।

ରାଜ୍ୟରେ ବଳକା ଅକ୍ସିଜେନ୍ ଥିଲେ ତାହାକୁ ଦିଲ୍ଲୀ ପଠାଇବାକୁ ସେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି। ଟୁଇଟ୍ କରିଛନ୍ତି, ଯଦିଓ କେନ୍ଦ୍ର ସରକାର ଏଥିପାଇଁ ସହାୟତା ଯୋଗାଇ ଦେଉଛନ୍ତି, ତଥାପି କରୋନା ସଂକ୍ରମଣର ତୀବ୍ରତା ଏତେ ଅଧିକ ହୋଇଯାଇଛି ଯେ, ସମସ୍ତ ଉପଲବ୍ଧ ସମ୍ବଳ ନିଅଣ୍ଟ ପଡ଼ୁଛି।

ଉପରପଟେ ଗତରାତିରେ ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ଜୟପୁର ଗୋଲ୍ଡେ ନ ହସ୍ପିଟାଲରେ ୨୫ ଜଣଙ୍କ ଜୀବନ ଯାଇଛି। ସେପଟେ ଚେତାବନୀ ଦେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଯିଏ ବି ଅକ୍ସିଜେନ୍ ଗାଡ଼ିକୁ ରୋକୁଛି ଆମେ ତାଙ୍କୁ ଫାଶିଖୁଣ୍ଟରେ ଝୁଲାଇଦେବୁ।

ଦେଶବ୍ୟାପୀ ଅକ୍ସିଜେନ ଅଭାବ ସମୟରେ ସଙ୍କଟମୋଚକ ସାଜିଥିବା ଓଡିଶା ତାର ସହାୟତାର ହାତକୁ ଆହୁରି ପ୍ରଶସ୍ତ କରିଛି ଷ୍ଟିଲ୍ ମନ୍ତ୍ରଣାଳୟ ନିର୍ଦ୍ଦେଶରେ ୨୯ଟି ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ତେଲେଙ୍ଗାନା ଆଦି ରାଜ୍ୟକୁ ଅନେକ ରାଜ୍ୟକୁ ପଠାଯାଇଛି। ଏହି ଟ୍ରକ୍‌ଗୁଡ଼ିକ କିଭଳି ବିନା ବାଧାବିଘ୍ନରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ, ସେଥିପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର କରିଡର କରାଯାଇଛି।

ଏପଟେ ଦେଶରେ ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ଆଜି ସମୀକ୍ଷା କରି ଅକ୍ସିଜେନ ଓ ତତ୍ସଂବନ୍ଧୀୟ ଯନ୍ତ୍ରାଂଶରୁ ୩ ମାସ ପାଇଁ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ ସଂପର୍କିତ ଯନ୍ତ୍ରାଂଶ ଆମଦାନୀ ତ୍ୱରାନ୍ୱିତ କରିବା ସହ ସବୁ ମନ୍ତ୍ରଣାଳୟ ଓ ବିଭାଗ ଏକ ହୋଇ ଏ ଦିଗରେ କାମ କରିବାକୁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ସିଜେନ ସହ କୋଭିଡ଼ ଟିକା ଉପରୁ ମଧ୍ୟ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି। ଫଳରେ ଟିକା ଓ ସଂରଜାମଗୁଡ଼ିକ ସୁଲଭ ଦରରେ ମିଳିପାରିବ।

You might also like