ସୁନ୍ଦରଗଡ଼ : କଂଗ୍ରେସ୍ ଛାଡ଼ିବା ଚର୍ଚ୍ଚା ଭିତରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ନୂଆ ବୟାନ। ଆସନ୍ତା ୨୫ରେ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି।
ପୂର୍ବରୁ ଲୋକଙ୍କ ସହ କାର୍ଯ୍ୟକ୍ରମ ସ୍ଥିର କରିସାରିଥିବାରୁ ରାହୁଲଙ୍କ ସଭାରେ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋ ପାଇଁ ଜନସାଧାରଣ ହିଁ ହାଇକମାଣ୍ଡ। ଆଗ ମାଟି, ତା ପରେ ପାର୍ଟି ବୋଲି ଯୋଗେଶ କହିଛନ୍ତି।
ଏଥିସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି। ତାସହ ସରକାରଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି। ତେବେ ବିଜେଡିରେ ଯୋଗ ଦେବେକି ବୋଲି ପ୍ରଶ୍ନର ଜବାବରେ କହିଛନ୍ତି, ଲୋକେ ପରାମର୍ଶ ଦେଲେ ମୁଁ ବିଚାର କରିବି।
ଗତକାଲି ସେ କିଞ୍ଜିରିକେଲା ଠାରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ସେଠାରେ ଝାରସୁଗୁଡ଼ା ବିଧାୟକ ନବ ଦାସ ବି ଉପସ୍ଥିତ ଥିଲେ।