ନବୀନଙ୍କୁ ବିରୋଧୀଙ୍କ ନିବେଦନ: ବନ୍ଦେ ଉତ୍କଳ ଜନନୀ ଗାଆନ୍ତୁ, ଜୟ ଜଗନ୍ନାଥ କୁହନ୍ତୁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ସଚିବାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯଦି, ମୁଖ୍ୟମନ୍ତ୍ରୀ ଏଭଳି କରନ୍ତି ତେବେ ସେ ବି ତାଙ୍କ ସହ ଯୋଗଦେବେ ବୋଲି କହିଛନ୍ତି।
ଖାଲି ବନ୍ଦେ ଉତ୍କଳ ଜନନୀ ନୁହେଁ, ତିନି ଥର ଜୟ ଜଗନ୍ନାଥ କହିବାକୁ ବି ସେ ନିବେଦନ କରିଛନ୍ତି। ଏଭଳି ମହାମାରୀ ସମୟରେ ଜଗନ୍ନାଥଙ୍କ ଆର୍ଶୀବାଦ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବ। ତେଣୁ ଜୟ ଜଗନ୍ନାଥ ବି କହିବା ବୋଲି ବିଜୟ କହିଛନ୍ତି।
ସେହିପରି ବିଧାନସଭା ସମ୍ମୁଖରେ ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ ଗାଇଲେ କୋଭିଡ୍ ଯୋଦ୍ଧାଙ୍କ ବିଶ୍ୱାସ ଆହୁରି ବଢ଼ିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ସେପଟେ ଏହି ସମୟରେ ରାଜନୈତିକ ବୟାନବାଜି ନକରି ସମସ୍ତେ ଏକଜୁଟ୍ ହୋଇ କରୋନା ବିରୋଧରେ ଲଢ଼ିବା ଆବଶ୍ୟକ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା। କୋଭିଡ ମୁକାବିଲା ପାଇଁ କାମ କରୁଥିବା ଯୋଦ୍ଧାଙ୍କ ସାହସ ବଢ଼ାଇବା ସହ ସମ୍ମାନିତ କରିବାକୁ ଏହି ପ୍ରୟାସ ବୋଲି ସଞ୍ଜୟ କହିଛନ୍ତି।