ଭୁବନେଶ୍ଵର: କରୋନା ସଂକ୍ରମଣ ଓ ଲକ୍ଷଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେବେ କରୋନା ସତର୍କତା ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ପ୍ରଫେସର ଜୟନ୍ତ ପଣ୍ଡା ଏବଂ ଡାକ୍ତର ସମ୍ପଦ ଦାସଙ୍କ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ ବର୍ଷ ଆକ୍ରାନ୍ତ ହୋଇଥିବା ଲୋକ ଏବର୍ଷ ବି ପୁଣି ସଂକ୍ରମିତ ହେଉଛନ୍ତି। ତେବେ ମୃତ୍ୟୁ ହାର କମ ଥିବା ପାଇଁ ଏକ ଆଶ୍ୱସ୍ତିର ବିଷୟ।
ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଟିକା ନେଇସାରିଛନ୍ତି କିମ୍ବା ଗତବର୍ଷ କରୋନାରେ ସଂକ୍ରମିତ ହୋଇଥିଲେ, ସେମାନେ ମଧ୍ୟ ପୁଣିଥରେ କରୋନାରେ ସଂକ୍ରମିତ ହେଉଥିବାର ଦେଖାଦେଉଛିା କିନ୍ତୁ ଏହା ଭିତରେ ସେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ଟିକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ରହିଛି। ତେବେ ଟିକା ନେଇଥିବା ଲୋକଙ୍କ ଅବସ୍ଥା ଗୁରୁତର ହେଉନଥିବା ଦେଖାଯାଉଛି। ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ସଂକ୍ରମଣର ତୀବ୍ରତା ପୂର୍ବଠାରୁ କମ୍ ରହୁଛି। ଏହି ଷ୍ଟ୍ରେନ୍ ସେମାନଙ୍କୁ ଅଧିକ କ୍ଷତି ପହଂଚାଉନାହିଁ। ଏ କ୍ଷେତ୍ରରେ ରୋଗୀ ମୃତ୍ୟୁ ବା ଗୁରୁତର ହେବା କମ୍ ଦେଖାଦେଇଛିା କିନ୍ତୁ ସଂଖ୍ୟାରେ ନିୟନ୍ତ୍ରଣ ରଖିବା ଅନେକ କଷ୍ଟ ହେଉଛି।
ସେ ଆହୁରି କହିଛନ୍ତି ଯେ ମାସ୍କ ସଠିକ ଭାବରେ ପିନ୍ଧନ୍ତୁ। ଘର ଭିତରେ, ଗାଡ଼ି ଭିତରେ ମାସ୍କ ପିନ୍ଧିବା ଜରୁରୀ। ସର୍ଜିକାଲ ମାସ୍କ ଉପରେ କପଡ଼ା ମାସ୍କ ପିନ୍ଧନ୍ତୁ । ଜ୍ୱର ୧୦୦ ଉପରେ ଓ ଅକ୍ସିଜେନ ସ୍ତର ୯୦ ତଳକୁ ଗଲେ ହସ୍ପିଟାଲ ଯାଆନ୍ତୁ। ଏଭଳି ଲକ୍ଷଣ ଦେଖିଲେ ୧୯୨୯କୁ ଫୋନ୍ କରି ଡାକ୍ତରଖାନା ଯାଇପାରିବେ।
ଏବର୍ଷ ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖାଯାଉଛି କହିଲେ ଡାକ୍ତର ଦାସ। ବାନ୍ତି ହେବା, ପତଳା ଝାଡ଼ା ହେବା ଲକ୍ଷଣ ରୋଗୀଙ୍କ ଠାରେ ଦେଖାଯାଉଛି। ଗତବର୍ଷ ଅକ୍ସିଜେନ ଅଧିକ ଆବଶ୍ୟକ ପଡୁନଥିଲା କିନ୍ତୁ ଏ ବର୍ଷ ଅଧିକ ଦରକାର ପଡୁଛି । ଗତଥରର ଅପେକ୍ଷା ଏଥରର ସଂକ୍ରମଣର ତୀବ୍ରତା ଯଥେଷ୍ଟ ଅଧିକ ବୋଲି ସେ କହିଛନ୍ତି।