ଦଳିଦେଲା ହାତୀ, ଦୁଇ ଶ୍ରମିକ ମୃତ
ସମ୍ବଲପୁର ଧମା ଥାନା ଅଞ୍ଚଳରେ ଘଟିଛି ଅଘଟଣ
ସମ୍ବଲପୁର (ସଞ୍ଜୟ ଜେନା): ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ ଧମା ଥାନା ବଲାରଙ୍ଗା କୁଡେରନିଶା ଗାଁରେ ଜୟଲାଲ ର୍ମିଦ୍ଧା ଓ ତେଲେଙ୍ଗା ଓରାମ ବିଶ୍ରାମ ନେବା ସମୟରେ ହଠାତ୍ ହାତୀ ଉଭୟଙ୍କୁ ଦଳି ଦେଇଥିଲା । ଫଳରେ ଘଟଣସ୍ଥାଳରେ ଶ୍ରମିକ ଦୁଇ ଜଣ ପ୍ରାଣ ହରାଇଥିଲେ। ମୃତକ ଦୁଇ ଶ୍ରମିକଙ୍କ ଘର ବରଗଡ ଜିଲ୍ଲାର ଅତାବିରା ଯୁନାନୀ ଟାଙ୍ଗରପାଲିରେ, ଉଭୟେ ବାଉଁଶ କଟାଳୀ ଭାବେ କାମ କରୁଥିଲେ ।
ହାତୀ ଦଳିଦେବା ପରେ ଉଭୟଙ୍କୁ ସଦର ହସପିଟାଲ ନିଆଯାଇଥିଲା, ସେଠାରେ କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ଆଜି ୪୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ଏହାସହ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ତାଙ୍କୁ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ । ଅନ୍ୟପଟେ ହାତୀ ଆକ୍ରମଣରେ ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
#ଶ୍ରମିକଙ୍କୁ_ଦଳିଦେଲା_ଦନ୍ତା
ଜନବସତୀ ମୁହାଁ ଜଙ୍ଗଲୀ ହାତୀ। ଶୋଇଥିବା ଅବସ୍ଥାରେ ୨ ଶ୍ରମିକଙ୍କୁ ଦଳି ମାରିଦେଲା ଦନ୍ତା। #Elephant #Sambalpur #Odisha pic.twitter.com/ag4UsVx7RL— ଓଟିଭି (@otvkhabar) March 24, 2021