ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି ?

ଭୁବନେଶ୍ୱର: ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୋଲିସ୍?

ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହା ଭିତରେ ଅଭିଯୁକ୍ତମାନେ ଜେଲ୍ ଯାଇ ଫେରିଲେଣି। ଗିରଫ ଅଭିଯୁକ୍ତଙ୍କ ଭିତରେ ଏକ ନିର୍ଦ୍ଦିଷ୍ଟ ଦଳର କିଛି କର୍ମୀ ବି ଥିଲେ।

ହେଲେ ଆରଟିଆଇ ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗରୁ ୧୯ ମିନିଟର ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଖବର ପ୍ରସାରଣର ଠିକ୍ ପରଦିନ, ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଦେଢ଼ବର୍ଷ ତଳର ଏହି ମାମଲାରେ ଗୁନ୍ଥା ଯିବାର ରହସ୍ୟ କଣ?

ଯେଉଁ ଅଭିଯୁକ୍ତଙ୍କ ବୟାନ୍ ଆଧାରରେ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ୍ ଜଘନ୍ୟ ଅପରାଧୀଙ୍କ ଭଳି ବ୍ୟବହାର କରି ମଝି ରାସ୍ତାରୁ ଉଠାଇ ନେଇଥିଲା, ଗିରଫଦାରୀ ସମୟରେ ଏବଂ ପୋଲିସ୍ ରିମାଣ୍ଡରେ ଥିଲା ବେଳେ ସେତେବେଳେ ରମେଶ ରଥଙ୍କ ନାଁ ନେଇଥିଲେ କି ସଂପୃକ୍ତ ଅଭିଯୁକ୍ତ?

ଅଭିଯୋଗକାରିଣୀ ବି ସେତେବେଳ ତାଙ୍କ ବୟାନରେ ରମେଶ ରଥଙ୍କ ନାଁ ନେଇଥିଲେ କି ? ଯଦି ନେଇଥିଲେ ତାହେଲେ ଦୀର୍ଘ ଦେଢ଼ବର୍ଷ ଧରି ଏହା ଉପରେ କାହିଁକି ଚୁପ୍ ବସିଥିଲା ପୋଲିସ୍?

ସେତେବେଳେ ଯଦି ଓଟିଭି ଅଫିସ୍‌ରେ ଏକ କମ୍ପ୍ୟୁଟରରେ ପ୍ରମାଣ ଥିବା ଅଭିଯୁକ୍ତ କହିଥିଲେ, ଦେଢ଼ବର୍ଷ ପରେ ସେଇ ପ୍ରମାଣ କଥା କଣ ଏବେ ମନେପଡ଼ିଲା? ଖୋଦ୍ ଜଣେ ଶାସକ ଦଳର ଆଦିବାସୀ ମହିଳା ସାଂସଦଙ୍କୁ ନ୍ୟାୟ ଦେବାରେ ପୋଲିସ୍‌ର ଏହା କିଭଳି ତତ୍ପରତା?

ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବା କେବଳ ଉଦ୍ଦେଶ୍ୟ ନା ଧାରାବାହିକ ନାଟକ ଭଳି ଉପର ମହଲରୁ ସମୟକୁ ସମୟ ଆସୁଥିବା ସ୍କ୍ରିପ୍ଟ ଅନୁଯାୟୀ ଅଭିନୟ କରୁଛି ପୋଲିସ୍ ? ଅପରପକ୍ଷେ ଏହି ଫେକ୍ ଭିଡିଓ ମାମଲାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନର ଦେଢ଼ ବର୍ଷ ପରେ ଏବେ ହଠାତ୍ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସକ୍ରିୟ ହେବା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶେଷ କରି ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ଉଡ଼ାଣ ସଂପର୍କିତ ଖବର ପ୍ରକାଶନ ପରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ରମେଶ ରଥଙ୍କୁ ଅଭିଯୁକ୍ତ ସଜାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଭିଡିଓ ରିଲିଜ୍ କରିବା, ଓଟିଭିକୁ ଟାର୍ଗେଟ୍ କରିବା ଏବଂ ଦେଢ଼ବର୍ଷ ପରେ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ବି ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ ଏହି ଫେକ୍ ଭିଡିଓ ମାମଲାରେ ଓଟିଭିର କୌଣସି ସଂପୃକ୍ତି ନାହିଁ। ଏହି ଭିଡିଓ ଯେତେବେଳେ ଭାଇରାଲ୍ ହୋଇଥିଲା ସେତେବେଳେ ଓଟିଭି ଏ ସଂପର୍କିତ ଭିଡିଓକୁ ପ୍ରସାରଣ ବି କରି ନଥିଲା।

ପରବର୍ତ୍ତୀ ସମୟରେ ଓଟିଭିର ଜନୈକ ସାମ୍ବାଦିକଙ୍କୁ ସେ ବ୍ୟକ୍ତିଗତ ଆଧାରରେ କରିଥିବା କାର୍ଯ୍ୟକଳାପ ଅଭିଯୋଗରେ ପୋଲିସ୍ ଗିରଫ କରିବାରୁ, ସେତେବେଳେ ଚ୍ୟାନେଲ୍ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ତେଣୁ ଜାଣିଶୁଣି କାହିଁକି ଓଟିଭିକୁ ବଦନାମ୍ କରିବାକୁ ବିଭିନ୍ନ ସ୍ତରରେ ଅପଚେଷ୍ଟା କରାଯାଉଛି, ତାକୁ ନେଇ ବି ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like