କାହିଁକି ବନ୍ଦ ହେଲା ସମବାୟ ତଦନ୍ତ?

ପ୍ରଥମେ ହଁ, ଏବେ ନା

ଭୁବନେଶ୍ୱର: ସମବାୟ ବିଭାଗରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ ପାଇଁ ପ୍ରଥମେ ହଁ, ଏବେ ନା କୁ ନେଇ ଚାଲିଛି ଚର୍ଚ୍ଚା। ତଦନ୍ତ ପାଇଁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଆଉ ଏବେ ରେଡ୍ ସିଗନାଲ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ମାତ୍ର ବର୍ଷେ ଚାରି ମାସ ପରେ ଏବେ ସେଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି। ତେବେ ହଠାତ୍ ନିଷ୍ପତ୍ତିରେ ଏଭଳି ପରିବର୍ତ୍ତନକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚାନ କରିଥିବା ବେଳେ ବିଜେଡି କିନ୍ତୁ ମୁହଁ ଖୋଲିନାହିଁ ଯାହା ଚର୍ଚ୍ଚାକୁ ବେଶ ଖୋରାକ ଦେଇଛି।

ଆଠଗଡ଼ ଗୁରୁଡିଝାଟିଆର ଚାଷୀ ରବୀନ୍ଦ୍ର ଷଣ୍ଢ। ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଥରେ ୧୨ ହଜାର ଓ ଆଉ ଥରେ ଋଣ କରିଥିଲେ ୭ ହଜାର ଟଙ୍କା। କିନ୍ତୁ ଖାତାରେ ଚଢ଼ିଛି ଅଢେଇ ଲକ୍ଷ ଟଙ୍କାର ଲୋନ୍। ସମବାୟ ସମିତିର ସେକ୍ରେଟାରୀ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଅଭିଯୋଗ ଆସିଛି। ଆଠଗଡ଼ର ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୬ଟି ସମବାୟ ସମିତିରେ ହୋଇଛି ଏଭଳି କୋଟି କୋଟି ଟଙ୍କାର ଋଣ ଜାଲିଆତି ହୋଇଥିବା ଜଣାପଡ଼ିଛି। କିଛି ଅସହାୟ ଚାଷୀ ବାରଦ୍ୱାର ଦୌଡ଼ି ନ୍ୟାୟ ନପାଇବାରୁ ଶେଷରେ ବିଧାନସଭା ନିକଟରେ ଆତ୍ମାହୂତି କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା।

କେବଳ ଆଠଗଡ଼ ନୁହେଁ ରାଜ୍ୟର ବିଭିନ୍ନ ସମବାୟ ସମିତିରେ ଏଭଳି ପୁଳାପୁଳା ଦୁର୍ନୀତିର ଅଭିଯୋଗ ହୋଇଛି।  ୨୦୧୯ରେ କୋପରେଟିଭ୍ ରେଜିଷ୍ଟ୍ରାର, ଡିଭିଜନାଲ୍ ଡେପୁଟି ରେଜିଷ୍ଟ୍ରାର ଓ ସର୍କଲ୍ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ସମବାୟ ସମିତି ଦୁର୍ନୀତିରେ ସୋସାଇଟି ସେକ୍ରଟାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହିଛି। ଆର୍ଥିକ ଅନିୟମିତତା, ଟଙ୍କା ହେରଫେର୍ ଓ ବେଆଇନ କାର୍ଯ୍ୟ ଭଳି ସଙ୍ଗୀନ ଅଭିଯୋଗ କଥା ବି ଦର୍ଶାଯାଇଛି।

ଏମିତିକି ପ୍ୟାକସ୍ ଓ ଲ୍ୟାମ୍ପସ୍ ଅଧିନରେ ଥିବା ଚାଷୀମାନଙ୍କୁ ହଇରାଣ ହରକତ କରାଯାଉଛି। ସରକାର ବି ଏଥିପାଇଁ ଅଡୁଆରେ ପଡୁଛନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଚିଠିର ପ୍ରାୟ ୧୬ ମାସ ପରେ ପୁରୁଣା ନିର୍ଦ୍ଦେଶନାମା ଉପରେ ଲାଗିଛି ରୋକ୍। ଗତ ଜାନୁଆରୀ ୧୫ରେ ଜାରି ହୋଇଥିବା ସାନି ଚିଠିରେ ତଦନ୍ତ ପ୍ରକ୍ରିୟା ସ୍ଥଗିତ କରିବାକୁ କୁହାଯାଇଛି।

ତେବେ ଏବେ ପ୍ରଶ୍ନ, କାହିଁକି ସମବାୟ ବିଭାଗ ଏଭଳି ନିଷ୍ପତ୍ତି ନେଲା? ପ୍ରଥମେ ତଦନ୍ତ ନିର୍ଦ୍ଦେଶ ପରେ ଏବେ କାହିଁକି ସ୍ଥଗିତ ରଖିବାକୁ କୁହାଗଲା? ଏହା ପଛରେ କାହାର ଚାପ ରହିଛି କି? ଖୋଦ୍ ସମବାୟ ମନ୍ତ୍ରୀ ମନ୍ତ୍ରୀଙ୍କ ଭାଇ ଓ କେତେକ ଶାସକ ଦଳ ନେତା ଦୁର୍ନୀତିରେ ସିଧାସଖଳ ସଂପୃକ୍ତି ଥିବାରୁ ତଦନ୍ତକୁ ବନ୍ଦ କରାଗଲା କି? ନା ଆଗକୁ ସମବାୟ ନିର୍ବାଚନ ଥିବାରୁ ଏଭଳି ଆଭିମୁଖ୍ୟ? ତାକୁ ନେଇ ପ୍ରଶ୍ନ ଉଠିଛି ବିଜେପି ଓ କଂଗ୍ରେସ୍ ଏହାକୁ ସରକାରଙ୍କୁ ଦୋମୁହାଁ ନୀତି ବୋଲି କଡ଼ା ସାମଲୋଚାନ କରିଛନ୍ତି । ସେପଟେ  କିନ୍ତୁ ମୁହଁ ଖୋଲିନାହିଁ ବିଜେଡି।

ସମବାୟ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି।  ହେଲେ ଏହାପରେ କାର୍ଯ୍ୟାନୁଷ୍ଠାନ ନିଲ୍। ତେଣୁ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।

ଆଠଗଡରୁ ନୀଳକଣ୍ଠ ଦୋରା, ଭୁବନେଶ୍ୱରରୁ ଅରିନ୍ଦମ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ ।

You might also like