ପିପିଲି ଗଣଦୁଷ୍କର୍ମ ଏବଂ ମୃତ୍ୟୁ ଘଟଣାରେ କାହିଁକି ଧରାପଡ଼ିଲେନି ଅଭିଯୁକ୍ତ ?

ଅଦାଲତଙ୍କ ଜଜ୍‌ମେଣ୍ଟ କପି ଖୋଲିଲା ଗୁମର

ଭୁବନେଶ୍ୱର: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଏବଂ ମୃତ୍ୟୁ ମାମଲାର ଅଭିଯୁକ୍ତ କାହିଁକି ଖଲାସ ହେଲେ ?
କେଉଁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ?

ଅଦାଲତଙ୍କ ଜଜ୍‌ମେଣ୍ଟ କପି ଓଟିଭିର ହସ୍ତଗତ ହୋଇଛି। ଯାହା କ୍ରାଇମ୍‌ବ୍ରାଞ୍ଚ ବିଫଳତାର ଗୁମର ଖୋଲିଛି। ଅନ୍ୟପଟେ ମାମଲାର ବିଚାର ପରେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ କରି ଆତଙ୍କିତ ହୋଇପଡ଼ିଛନ୍ତି ପରିବାର ଲୋକେ। ତା’ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ଘଟଣାର ଜଜ୍‌ମେଣ୍ଟ କପି ଆନୁସାରେ ସରକାରୀ ପକ୍ଷ ଓ ଅଭିଯୁକ୍ତ ପକ୍ଷର ପ୍ରମାଣ ଓ ଯୁକ୍ତି ଉପସ୍ଥାପନା ପରେ ପ୍ରଥମ ଅତିରିକ୍ତ ଏଡିଜେ କୋର୍ଟ ତାଙ୍କର ଚୁଡ଼ାନ୍ତ ରାୟ ଶୁଣାଇଥିଲେ।

ଯେଉଁଥିରେ ଦର୍ଶାଯାଇଛି ଯେ, ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାବେଳେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପାଇଁ ସରକାରୀ ପକ୍ଷ ଯେଉଁ ପାରିପାର୍ଶ୍ୱିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛନ୍ତି ତାହା ଗ୍ରହଣୀୟ ନଥିଲା। ପୂରା ଘଟଣାବଳୀକୁ ଦର୍ଶାଇବା ପାଇଁ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ପ୍ରମାଣ ପର୍ଯ୍ୟାପ୍ତ ନୁହେଁ। ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନ ବିରୁଦ୍ଧରେ ଲାଗିଥିବା ଦଫାକୁ ପ୍ରମାଣିତ କରିବାରେ ସରକାରୀ ପକ୍ଷ ବିଫଳ ହୋଇଛନ୍ତି।

picture ctredit-The Hans India

ଦୁଇ ଅଭିଯୁକ୍ତଙ୍କ କରାଯାଇଥିବା ଲାଇଡିଟେକ୍ସନ୍ ଟେଷ୍ଟ ବଳିଷ୍ଠ ପ୍ରମାଣ ନୁହେଁ, ଏକ୍ସଟ୍ରା ଜୁଡିସିଆଲ୍ କନଫେସନରେ ୫ ଜଣ ସାକ୍ଷୀ କିଛି ଜାଣିନଥିବା କହିଥିଲେ। କଲ ଡିଟେଲ୍ସ ରିପୋର୍ଟ ଗୁଡ଼କକୁ ପ୍ରଚଳିତ ଆଇନ ଅନୁସାରେ ଉପଯୁକ୍ତ ଭାବେ ପ୍ରମାଣିତ କରାଯାଇପାରିନାହିଁ। ଯାହା ସରକାରୀ ପକ୍ଷକୁ ସହାୟକ ହୋଇପାରିନଥିଲା।

ପୀଡ଼ିତା ଉଦ୍ଧାର ବେଳେ ତାଙ୍କ ନିଜ ଦାଦାଙ୍କୁ ଅଭିଯୁକ୍ତଙ୍କ ନାଁ କହିଥିଲେ, ଯାହାକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଶୁଣାଣିବେଳେ ସରକାରୀ ପକ୍ଷ ଦର୍ଶାଇଥିଲେ। ତାହା ବି ଗ୍ରହଣୀୟ ହୋଇନଥିଲା। ତେଣୁ ଏସବୁକୁ ଆଧାର କରି କୋର୍ଟ ପିପିଲି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଦୁଇ ଭାଇଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

picture credit-Deccan Chronicle

ଅନ୍ୟପଟେ ମୃତ ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବା ନେଇ ଶାସକ ଦଳର ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିବା ସହ ଝିଅକୁ ନ୍ୟାୟ ମିଳିନଥିବା କହିଛନ୍ତି ପୀଡ଼ିତାଙ୍କ ମାଆ। ତାସହିତ ସମସ୍ତ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ତେବେ ପିପିଲି ପୀଡ଼ିତାଙ୍କୁ ମାରିଲା କିଏ ?
କାହିଁକି ପୀଡ଼ିତାର ଏଭଳି ଅସ୍ୱାଭାବିକ ମୃତ୍ୟୁ ହେଲା ?

ଏବେ ଏମିତି ପ୍ରଶ୍ନ ଉଠୁଥିବାବେଳେ ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ଲୋକଙ୍କ ଗୁହାରି ଶୁଣିବେ ନା ମନ୍ତ୍ରୀଙ୍କ ବୟାନଙ୍କୁ ନୀରବ ସମର୍ଥନ କରି ଚୁପ୍ ବସିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

You might also like