ପ୍ରକୃତ ମୂଲ୍ୟ ଠାରୁ କାହିଁକି ୩ ଗୁଣା ହୋଇଛି ପେଟ୍ରୋଲ ଦର ?

ଭୁବନେଶ୍ୱର: ଗତ କିଛି ମାସ ଧରି ତୈଳ ଦରରେ ନିଆଁ ଲାଗିଛି। ତା ସାଙ୍ଗକୁ ଏତେ ଦାମ୍‌ରେ ପେଟ୍ରୋଲ ଓ ଡିଜେଲ କିଣିବା ପରେ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାର କାରଣ କଣ, ଆପଣଙ୍କ ମନରେ ଉଙ୍କି ମାରୁଥିବ। ତେବେ ୩୨-୩୪ ଟଙ୍କାର ପେଟ୍ରୋଲ ଓ ଡିଜେଲ ଦାମ୍ କେମିତି ବୃଦ୍ଧି ପାଇ ୯୦ ଟଙ୍କା ପାଖାପାଖି ପହଞ୍ଚି ଯାଉଛି ଆସନ୍ତୁ ଜାଣିବା।

ପେଟ୍ରୋଲ ଦର:

ଆଜିର ଦର ଅନୁସାରେ ଅଶୋଧିତ ତେଲ କ୍ରୟ ଓ ଏହାର ବିଶୋଧନ ପାଇଁ ଲିଟର ପିଛା ପେଟ୍ରୋଲରେ ଖର୍ଚ୍ଚ ହେଉଛି ୩୨ ଟଙ୍କା ୪୩ ପଇସା। ଏହାକୁ ଆମେ ପେଟ୍ରୋଲର କ୍ରୟ ମୂଲ୍ୟ ବୋଲି ଧରି ପାରିବା। ଏହା କ୍ରୟ ମୂଲ୍ୟ ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ଟିକସ ନେଉଛନ୍ତି।

ଅର୍ଥାତ ଗୋଟିଏ ଲିଟର ପେଟ୍ରୋଲର ପ୍ରକୃତ ମୂଲ୍ୟ ଯେତେ, ତାଠାରୁ ମଧ୍ୟ ଅଧିକ ଟିକସ ନେଉଛନ୍ତି କେନ୍ଦ୍ର ସରକାର। ତା ପରେ ରାଜ୍ୟ ସରକାର ଟିକସ ନେଉଛନ୍ତି ୨୦ ଟଙ୍କା ୯୧ ପଇସା। ଡିଲର କମିଶନ ନେଉଛନ୍ତି ଲିଟର ପିଛା ୩ ଟଙ୍କା ୩୬ ପଇସା। ୩୨ ଟଙ୍କା ୪୩ ପଇସାର ଗୋଟିଏ ଲିଟର ପେଟ୍ରୋଲର ଦାମ ଏହିପରି ଭାବେ  ୮୯ ଟଙ୍କା ୬୮ ପଇସାରେ ପହଞ୍ଚୁଛି।

ଡିଜେଲର ଦର:

ଅଶୋଧିତ ତେଲ ଓ ଏହାର ବିଶୋଧନ ଖର୍ଚ୍ଚ ମିଶାଇ ଡିଜେଲ ମୂଳ ଦର ହେଉଛି ୩୪ ଟଙ୍କା  ଏହାକୁ ଡିଜେଲର କ୍ରୟ ମୂଲ୍ୟ ବୋଲି କହିପାରିବା। ତା ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି ୩୧ ଟଙ୍କା ୮୩ ପଇସା। ରାଜ୍ୟ ସରକାର ଟିକସ ନେଉଛନ୍ତି ୧୮ ଟଙ୍କା ୪୧  ପଇସା। ଡିଲର କମିଶନ  ନେଉଛନ୍ତି ଲିଟର ପିଛା ୨ ଟଙ୍କା ୨୧ ପଇସା। ଏସବୁକୁ ମିଶାଇ ଡିଜେଲ ଦର ୮୬ ଟଙ୍କା ୪୫ ପଇସାରେ ପହଞ୍ଚୁଛି। ଏହିପରି ଭାବେ ଦେଖିଲେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଟିକସକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୩ ଗୁଣ ପାଖାପାଖି ହେଉଛି।

ଅଶୋଧିତ ତୈଳର ମୂଳ ମୂଲ୍ୟ ପ୍ରତି ଲଟର ପିଛା ୩୨ ଟଙ୍କା ୪୩ ପଇସା। ପରେ କେନ୍ଦ୍ର ଦ୍ୱାରା ୩୨ ଟଙ୍କା ୮୮ ପଇସା ଟିକସ ଆଦାୟ ହୁଏ।  ରାଜ୍ୟର ଭ୍ୟାଟ୍‌ ୨୦ ଟଙ୍କା ୯୧ ପଇସା। ଡିଲର ମାର୍ଜିନ୍ ୩ ଟଙ୍କା ୩୬ ପଇସା। ଆଜିର ବିକ୍ରି ମୂଲ୍ୟ ୮୯.୮୬ ଟଙ୍କା ରହିଛି। 
-ସଞ୍ଜୟ ଲାଠ, ସାଧାରଣ ସଂପାଦକ, ଉତ୍କଳ ପେଟ୍ରୋଲ ପମ୍ପ ମାଲିକ ସଂଘ 
You might also like