କାହିଁକି ବଢ଼ୁଛି ପେଟ୍ରୋଲ ଦର ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଦିନକୁ ଦିନ ତୈଳଦର ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ତୈଳ ଦରବୃଦ୍ଧି ସାମୟିକ, ଏହି ଦର ବୃଦ୍ଧି ଶୀଘ୍ର ଠିକ୍‌ ହୋଇଯିବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି କହିଛନ୍ତି, ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହି ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି। ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। ତୈଳକୁ GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏନେଇ GST କାଉନସିଲ ନିଷ୍ପତ୍ତି ନେବ।

ଜାଣନ୍ତୁ, ପେଟ୍ରୋଲ ଓ ଡିଜେଲ‌ର ପ୍ରକୃତ ଦର କେତେ ଓ ତା’ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କେତେ ଟିକସ ନେଉଛନ୍ତି…

ଟିକସ ଓ ଶୁଳ୍କ ବିନା ଭୁବନେଶ୍ୱରରେ ପେଟ୍ରୋଲ୍ ଦର ହେବା କଥା ୩୩ ଟଙ୍କା ୬୮ ପଇସା। ତା’ଉପରେ କେନ୍ଦ୍ରୀୟ ଟିକସ ପଡୁଛି ୩୨ ଟଙ୍କା ୯୦ ପଇସା। ସେହିପରି ଭାଟ୍ ବାବଦକୁ ରାଜ୍ୟ ସରକାର ନେଉଛନ୍ତି ୨୧ ଟଙ୍କା ୪୦ ପଇସା। ଏପରି ଭାବେ ପେଟ୍ରୋଲ୍ ଦର ପହଞ୍ଚୁଛି ୯୧ ଟଙ୍କା ୬୬ ପଇସାରେ।

ସେହିପରି ଡିଜେଲର ମୂଳ ଦର ୩୫ ଟଙ୍କା ୪୩ ପଇସା ଥିବା ବେଳେ କେନ୍ଦ୍ରୀୟ ଟିକସ ୩୧ ଟଙ୍କା ୮୦ ପଇସା ଏବଂ ରାଜ୍ୟ ସରକାର ଭାଟ୍ ବାବଦକୁ ୧୮ ଟଙ୍କା ୯୦ ପଇସା ପଡ଼ୁଛି। ଏପରି ଭାବେ ଡିଜେଲ୍ ଲିଟର ପିଛା ୮୮ ଟଙ୍କା ୬୩ ପଇସାରେ ପହଞ୍ଚୁଛି।

ଜାଣନ୍ତୁ, ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ପେଟ୍ରୋଲ୍, ଡିଜେଲ୍ ଉପରେ ଆଦାୟ ହେଉଥିବା ଭାଟ୍ ପରିମାଣ କେତେ?

କେବଳ ଆନ୍ଧ୍ରପ୍ରଦେଶକୁ ଛାଡ଼ିଦେଲେ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଭାଟ୍ ହାର ଅଧିକ ରହିଛି। ଓଡ଼ିଶା ସରକାର ଏବେ ପେଟ୍ରୋଲ୍ ଉପରେ ୩୦.୪ ପ୍ରତିଶତ ଓ ଡିଜେଲ୍ ଉପରେ ୨୭.୧ ପ୍ରତିଶତ ଭାଟ୍ ଆଦାୟ କରୁଛନ୍ତି। ଝାଡ଼ଖଣ୍ଡ ପେଟ୍ରୋଲ୍ ଉପରେ ୨୫.୭ ପ୍ରତିଶତ ଭାଟ୍ ନେଉଥିବା ବେଳେ ଡିଜେଲ୍ ଉପରେ ନେଉଛନ୍ତି ୨୩.୧ ପ୍ରତିଶତ। ଛତିଶଗଡ଼ରେ ପେଟ୍ରୋଲ୍ ଉପରେ ୨୬.୬ ପ୍ରତିଶତ ଏବଂ ଡିଜେଲ୍ ଉପରେ ୨୫.୬ ପ୍ରତିଶତ ଭାଟ୍ ରହିଛି। ପଶ୍ଚିମବଙ୍ଗରେ ପେଟ୍ରୋଲ ଉପରେ ଭାଟ୍ ଓଡ଼ିଶାଠାରୁ ସାମାନ୍ୟ ଅଧିକ ୩୦.୮ ପ୍ରତିଶତ ଥିବା ବେଳେ ଡିଜେଲ୍ ଉପରେ ଓଡ଼ିଶାଠାରୁ ବହୁତ୍ କମ୍ ୨୧.୫ ପ୍ରତିଶତ ଭାଟ୍ ଆଦାୟ କରାଯାଉଛି।

You might also like