କୁଆଡ଼େ ଗଲା ଜିରୋ ଟଲେରାନ୍ସ ନୀତି; ପୁଳା ପୁଳା ଦୁର୍ନୀତି ଅଭିଯୋଗ ସତ୍ତ୍ୱେ ଗେହ୍ଲାପୁଅ ସାଜିଛନ୍ତି ସଚିବ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ ସରକାର ଜିରୋ ଟଲେରାନ୍ସ ଆପଣାଉଛନ୍ତି ବୋଲି କହୁଛନ୍ତି। ତେବେ ଏହା କେବଳ କ’ଣ ସରକାରଙ୍କୁ ସୁହାଇଲା ଭଳି ? ଯିଏ କୋପ ଦୃଷ୍ଟିରେ ପଡ଼ିବେ ସେ ବିଦା ହେବେ। ମାତ୍ର ଯେଉଁମାନେ ଗେହ୍ଲା ପୁଅ, ସେମାନେ ଦୁର୍ନୀତିର ପର୍ବତ ଉପରେ ବସିଲେ ବି ପରଓ୍ୱା ନାହିଁ। ଯେମିତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ମାଳମାଳ ଅଭିଯୋଗ ଓ ଲୋକାୟୁକ୍ତଙ୍କର ନିଜ ଆଡୁ ନୋଟିସ୍ ସତ୍ତ୍ୱେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। କିନ୍ତୁ ଦୁର୍ନୀତି ଅଭିଯୋଗରେ ଜେଲ୍ ବିଭାଗ DIGଙ୍କ ସମେତ ୭ ଅଧିକାରୀଙ୍କୁ କିଛି ଦିନ ତଳେ  ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର।

ତେଣୁ ପ୍ରଶ୍ନ ଉଠୁଛି ଯେ ଦୁର୍ନୀତିକୁ ନେଇ କ’ଣ ନବୀନ ସରକାରଙ୍କର ଦୁଇଟି ନୀତି ? କାରଣ ସମସ୍ତଙ୍କ ଉପରେ ସମାନ ପ୍ରୟୋଗ ହେଉନି ଜିରୋ ଟଲରାନ୍ସ ପଲିସି।

ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ନାଁରେ ଥିବା ମାମଲାକୁ ନିଆଯାଉ। ଅଭୟକାନ୍ତଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ଖୋଳିତାଡ଼ି ବାହାର କଲେ ସରକାର। ପୁଅ ଆକାଶ ଓ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲକୁ ପଠାଇଲେ। ବିଷ୍ଣୁପଦ କିନ୍ତୁ କ’ଣ ଗେହ୍ଲା ପୁଅ ?

ମାଳ ମାଳ ଦୁର୍ନୀତି ଅଭିଯୋଗ ଥିଲେ ବି ଓଲଟା ତାଙ୍କୁ ପଞ୍ଚାୟତିରାଜ ଓ ଓଡ଼ିଆ ଭାଷା ସହିତ୍ୟ ସହ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ବି ଦିଆଯାଇଛି। ଅର୍ଥାତ୍ ତିନୋଟି ବିଭାଗର ଦାୟିତ୍ୱରେ ଅଛନ୍ତି ବିଷ୍ଣୁ। ଏହା ହିଁ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ବାଛ ବିଚାର ନୀତିକୁ ନେଇ ପ୍ରଶ୍ନ ଠିଆ କରିଛି।

ତେବେ ବଡ଼ବଡ଼ୁଆଙ୍କ ଦର୍ନୀତି ନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି “ରାଜ୍ୟରେ ଦୁର୍ନୀତିକୁ ପ୍ରମୋଟ କରାଉଛନ୍ତି ସରକାର। ଦୁର୍ନୀତି ବନ୍ଦ କରିବା ପାଇଁ ଯେଉଁ ମେକାନିଜିମ୍‌ ହେବା ଦରକାର ସେସବୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ସମ୍ପର୍କିତ ବ୍ୟୁରୋକ୍ରାଟମାନେ ଦୁର୍ନୀତିକୁ ପ୍ରମୋଟ କରୁଛନ୍ତି ଓ ସୁରକ୍ଷା ଯୋଗାଉଛନ୍ତି। ଫଳରେ ଏହି ବ୍ୟୁରୋକ୍ରାଟ୍‌ମାନେ ଦୁର୍ନୀତି କରିବାକୁ ସାହାସ କରୁଛନ୍ତି।”

ବିଷ୍ଣୁପଦଙ୍କ ଦୁର୍ନୀତି ଅଭିଯୋଗ 

ଏବେ ଆସନ୍ତୁ ଜାଣିବା ବିଷ୍ଣୁପଦଙ୍କ ନାଁରେ ଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗ ସମ୍ପର୍କରେ। ବିଷ୍ଣୁପଦ ଓମ୍‌ଫେଡରେ କାର୍ଯ୍ୟରତ ଥିବା ବେଳେ ଜରି କିଣାରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।
ସେହିପରି ସମବାୟ ବିଭାଗରେ ଥିବା ବେଳେ ମେଡିକାଲ ବିଲ୍‌ ବାବଦକୁ ସେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସମବାୟ ବ୍ୟାଙ୍କ ନିଯୁକ୍ତିରେ ବି ଅନିୟମିତତା ନେଇ ବି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ଏହାର ତଦନ୍ତ ଲାଗି ଭିଜିଲାନ୍ସ ମୁଖ୍ୟମନ୍ତ୍ରୀଙ୍କ ଅଫିସଠାରୁ ଅନୁମତି ବି ମାଗିଥିଲା। ତେବେ ଏହାର ବିଭାଗୀୟ ତଦନ୍ତ ହେବ କହି ସିଏମଓ ଅନୁମତି ଦେଇନଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଓମଫେଡ୍ ମାମଲାକୁ ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଛଅ ସପ୍ତାହ ମଧ୍ୟରେ ଦୁର୍ନୀତି ସଂପର୍କିତ ତଥ୍ୟ ଓ ଜବାବ ଦାଖଲ ପାଇଁ ବିଷ୍ଣୁପଦ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍  କରିଛନ୍ତି ଲୋକାୟୁକ୍ତ। 

ଦୁର୍ନୀତି ଅଭିଯୋଗ ନେଇ ସାତ ଦିନ ତଳେ ଜେଲ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ସମେତ ସାତ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର। ବର୍ଷକ ଭିତରେ ଶହେରୁ ଅଧିକ ଦୁର୍ନୀତିଗ୍ରସ୍ତକୁ ଚାକିରୀରୁ କାଢ଼ି ସାରିଲେଣି ସରକାର। ତେବେ ବିଷ୍ଣୁପଦଙ୍କ ଭଳି ଅଫିସରଙ୍କ ପ୍ରତି ସରକାରଙ୍କ ଏତେ ଅନୁଗ୍ରହ କାହିଁକି? ଏମାନଙ୍କ ପାଇଁ କଣ ଭିନ୍ନ ନିୟମ? କଣ ପାଇଁ ସରକାର ଏଭଳି ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ବିଷ୍ଣୁପଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like