୫ ଦିନରେ ଶୀତ ଅଧିବେଶନ ସରିବାକୁ ନେଇ ଆରୋପ ପ୍ରତ୍ୟାରୋପ

ବିରୋଧୀ କହିଲେ ପ୍ରସଙ୍ଗକୁ ଡରି ପଳାୟନପନ୍ଥୀ ହେଲେ ସରକାର

ଭୁବନେଶ୍ୱର : ୧୮ଟି କାର୍ଯ୍ୟଦିବସ ପୂର୍ବରୁ କାହିଁକି ବନ୍ଦ ହେଇଗଲା ବିଧାନସଭା ଶୀତ ଅଧିବେଶନ? ପ୍ରସଙ୍ଗକୁ ଡରି ପଳାୟନପନ୍ଥୀ ହେଲେ କି ସରକାର? ନା ଅାଲୋଚନା ପାଇଁ ପ୍ରସଙ୍ଗ ନଥିଲା? ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀରୁ ଜଣା ଯେ, ନଭେମ୍ବର ୧୬ରୁ ଡିସେମ୍ବର ୧୫ ,୨୩ ଦିନ ଶୀତ ଅଧିବେଶନ ପାଇଁ ଧାର୍ଯ୍ୟ ହୋଇଥିଲା କାର୍ଯ୍ୟସୂଚୀ।

ହେଲେ ବିଡ଼ମ୍ବନା ୫ ଦିନରେ ସରିଗଲା ଶୀତ ଅଧିବେଶନ। ସେଥିରୁ ପୁଣି ହୋହଲ୍ଲାରେ ଧୋଇଗଲା ୩ ଦିନ। ଶାସକ ଦଳ ଯୁକ୍ତି ଅାଉ କିଛି ସରକାରୀ କାମ ନଥିଲା। ଗତକାଲିର ବିଧାନସଭାର କାର୍ଯ୍ୟସୂଚୀରେ ସ୍ପଷ୍ଟ ସୂଚିତ ଅଛି ଯେ ତିତ୍‌ଲି ପ୍ରଭାବିତଙ୍କ ଥଇଥାନ ନେଇ ସରକାରଙ୍କ ପଦକ୍ଷେପ ଉପରେ ଅାଲୋଚନା ହେବ। କିନ୍ତୁ ଅଚାନକ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ହୋଇଗଲା ଗୃହ। ଏଠି ପ୍ରଶ୍ନ ଯେଉଁ ତିତ୍‌ଲି ରେ ୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି, ସେଇ ପ୍ରସଙ୍ଗର କଣ କିଛି ଗୁରୁତ୍ୱ ନାହିଁ।

ବିରୋଧୀଙ୍କ ଅଭିଯୋଗ ତିତ୍‌ଲି ସମେତ ଦାଦନ ସମସ୍ୟା, ଅାମ ଗାଁ ଅାମ ବିକାଶ, ଅାଇନ୍ ଶୃଙ୍ଖଳା, ବଢ଼ିଚାଲିଥିବା ଦୁଷ୍କର୍ମ ଘଟଣା ଓ ବିଜୁ ଯୁବବାହିନୀର ଗୁଣ୍ଡାଗର୍ଦ୍ଦି ପରି ପ୍ରସଙ୍ଗରେ ଅାଲୋଚନା ହେବାକୁ ଥିବାରୁ ସରକାର ପଳାୟନପନ୍ଥୀ ହେଲେ।

ରାଜନୈତିକ ବିଶେଷଜ୍ଞ ମଧ୍ୟ ଶୀତ ଅଧିବେଶନକୁ ୧୮ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ବର୍ଷରେ ବିଧାନସଭା ୬୦ ଦିନ ଚାଲିବା ନେଇ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନାରେ ବ୍ୟବସ୍ଥା ରହିଛି। ତେବେ ଗୃହରେ ସହମତିରେ ଏହାକୁ କମାଇ ୪୫ ଦିନ କରିବା ପାଇଁ ଅାସିଥିବା ପ୍ରସ୍ତାବ ଅାଧାରରେ ଅବଧିକୁ କମାଇ ଦିଅାଯାଇପାରୁଛି।

ପୂର୍ବରୁ ମଧ୍ୟ ଶାସକ ଦଳ ପକ୍ଷରୁ ଏମିତି ପ୍ରସ୍ତାବ ଅାଣି ଗୃହକୁ ନିର୍ଦ୍ଦାରିତ ସମୟ ପୂର୍ବରୁ ବନ୍ଦ କରାଯାଇଛି।

You might also like