ଏତଲାରେ ନାଁ ଥିଲେ ବି କାହିଁକି ଗିରଫ ହୋଇନାହାନ୍ତି ପ୍ରତାପ ଜେନା?

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଡି.ପୁରନ୍ଦେଶ୍ୱରୀ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ କଟକ ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,  ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର । ବର୍ଷକ ତଳେ ବିକାଶ ଜେନାଙ୍କୁ ବି ହତ୍ୟା କରାଯାଇଥିଲା। ଆଉ ପୁଣି ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା। ପିଏମ୍ ଆବାସ ଯୋଜନା ଦୁର୍ନୀତି ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୁରନ୍ଦେଶ୍ୱରୀ ? ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏତଲାରେ ଯଦି ପ୍ରତାପ ଜେନାଙ୍କ ନାଁ ଅଛି ତେବେ ତାଙ୍କୁ କାହିଁକି ଗିରଫ କରାଯାଉନି? ହତ୍ୟାର ଶିକାର ହୋଇଥିବା ପରିବାରକୁ ନ୍ୟାୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ଯଦି ନ୍ୟାୟ ନଦେବେ ତେବେ ଲୋକଙ୍କ ବିଶ୍ୱାସ ଉଠିଯିବ ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ଆମେ ସହ ଅଛୁ ଏବଂ ନ୍ୟାୟ ନ ମିଳିବା ଯାଏଁ ଆମେ ଲଢ଼େଇ ଜାରି ରଖିବୁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ପୁରନ୍ଦେଶ୍ୱରୀ।
ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶା ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯାଇଛନ୍ତି। ତେବେ ରାଜ୍ୟରେ ପହଞ୍ଚିବା ପରେ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ କହିଥିଲେ ଯେ,ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା କେତେ ଢିଲା ତାହା ସ୍ପଷ୍ଟ ହୋଇଛି।

 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ କୁଳମଣି ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଏହାସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ତେବେ ତାଙ୍କ ମନ୍ତବ୍ୟ ଉପରେ ବିଜେଡିର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

You might also like