ନବୀନଙ୍କୁ ମର୍ମାହତ କଲା ଏହି ଘଟଣା, ନିଜକୁ ଦୁଃଖିତ ମନେକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ରାଜ୍ୟର ତଥା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସମସ୍ୟା ନେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି ଯେ, ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଶ୍ରମିକ ରହିଯାଇଛନ୍ତି। ଓଡ଼ିଶାରେ ରହି ଯାଇଥିବା ଶ୍ରମିକମାନଙ୍କ ଆମେ ଯତ୍ନ ନେଉଛୁ। ବାହାର ରାଜ୍ୟରେ ବି ଲକ୍ଷ ଲକ୍ଷ ଓଡ଼ିଆ ଭାଇଭଉଣୀ ଫସି ରହିଛନ୍ତି। ତୀର୍ଥ ପାଇଁ ଯାଇଥିବା ଲୋକମାନେ, ଛାତ୍ରଛାତ୍ରୀ ଫସି ରହିଛନ୍ତି। ରୋଗୀ, ଶ୍ରମିକମାନେ ଫସି ରହିଛନ୍ତି, ଏହା ମୋତେ ଦୁଃଖ ଦେଇଛି ବୋଲି ସେ କହିଛନ୍ତି।

ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଜୀବନ ସ୍ୱାଭାବିକ ହୋଇନି। କଟକଣା ଉଠିଲେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରଙ୍କ ସହ କଥା ହେବୁ । ଆମ ଲୋକମାନେ କିପରି ସୁବିଧାରେ ଫେରିବେ ବ୍ୟବସ୍ଥା କରାଯିବ। ଏଥିପାଇଁ ଆମେ ଟେକ୍ନୋଲଜିର ସୁବିଧା ନେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମସ୍ୟା ବହୁତ ବଡ଼, ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ପଞ୍ଚାୟତ, ପୌରାଞ୍ଚଳକୁ ସାଥିରେ ନେଇ କାମ କରିବାକୁ ହେବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ୍ ସୁବିଧା କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ବାହାରୁ ଆସିଥିବା ଓଡ଼ିଆ ଶ୍ରମିକମାନେ କ୍ୱାରେଣ୍ଟାଇନ୍‌ରେ ରହିଲେ ୨ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

You might also like