ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ଭୁବନେଶ୍ୱର: ବିଜେଡିର ମିଷ୍ଟର କ୍ଲିନ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ? କାଳ ହେଲା କି ନୂଆ ନୂଆ ସମୁଦି ବନିଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ବିରୋଧରେ ଉଠିଥିବା କୋଟି କୋଟିର ଦୁର୍ନୀତି ଅଭିଯୋଗ ? ନଜର ପକାନ୍ତୁ ଏହି ନିମନ୍ତ୍ରଣ କାର୍ଡ ଉପରେ।

ଦିନ କେଇଟା ପରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ବିବାହ କରିଥାନ୍ତେ ଅଭୟଙ୍କ ପୁଅ ଆକାଶ। ତାପୂର୍ବରୁ କିନ୍ତୁ ଦୁର୍ନୀତି ଟଙ୍କା ଠୁଳ ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ।

ଆଉ ବାପ-ପୁଅଙ୍କୁ ଗିରଫଦାରୀ ପ୍ରସଙ୍ଗରେ ମୁହଁ ଖୋଲି ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି, ଅଭୟ ପାଠକ୍ ରାଜ୍ୟର ଜଣେ ଦକ୍ଷ ଅଫିସର। ତାଙ୍କ ବିରୋଧରେ ଯାହା ବି ଅଭିଯୋଗ ଆସୁଛି। ତାହାର ପ୍ରମାଣ ଯୋଗାଡ଼ କରି ସତ୍ୟାସତ୍ୟ ସାମ୍ନାକୁ ଅଣାଯାଉ ବୋଲି କହିଛନ୍ତି ପ୍ରଦୀପ।

କେବଳ ଭାବୀ ସମୁଦି ନୁହେଁ, ଭାବୀ ଜ୍ୱାଇଁ ଆକାଶଙ୍କ ସପକ୍ଷରେ ବାହାରି ପ୍ରଦୀପ କହିଛନ୍ତି ସେ ଆଇଟିଆର୍‌ର ପୂର୍ବତନ ଛାତ୍ର। ରୋମାନିଆରେ କାମ କରୁଥିଲେ। ୨୦୧୬ରେ GMATରେ ସବୁଠୁ ଅଧିକ ନମ୍ବର ରଖିବା ସହ ଟାଟା ଗ୍ରୁପ୍‌କୁ ଆକାଶ ମନୋନୀତ ହୋଇଥିଲେ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ପାଠକ ବାପ-ପୁଅଙ୍କ ଚାର୍ଟାର ଫ୍ଲାଇଟ୍ ବ୍ୟବହାର ପ୍ରସଙ୍ଗକୁ ସ୍ୱୀକାର କରିବା ସହ ପ୍ରଦୀପ କହିଛନ୍ତି କମ୍ପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି। ସେ ବି ନିଜେ ଏହି ଫ୍ଲାଇଟ୍‌ରେ ଯାତ୍ରା କରିଥିବା କହିଛନ୍ତି। ଆକାଶ ପାଠକ୍, ନିଜକୁ ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍‌ର ବରିଷ୍ଠ ଅଧିକାରୀର ପରିଚୟ ଦେଇ ଏବଂ ଜାଲିଆତି କରି ଅର୍ଥ ହଡପ କରିଥିବା ଅଭିଯୋଗ ଆଣିଥିଲା ଟାଟା ମୋଟର୍ସ।

ଏନେଇ ଗତ ମେ୧୮ରୁ ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ବି ହୋଇଛି। ଅଥଚ ୬ ମାସ ହେଲା କ୍ରାଇମବ୍ରାଞ୍ଚ କୌଣସି ପଦକ୍ଷେପ ନେଇନଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଆକାଶଙ୍କ ନିଯୁକ୍ତିପତ୍ର, ସାଲାରି ସ୍ଲିପ୍ ସହ ଅନ୍ୟ କାଗଜପତ୍ରର ଯାଞ୍ଚ ନକରି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପାଠକ ବାପ-ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା କି ? ହଠାତ୍ କାର୍ଯ୍ୟାନୁଷ୍ଠାନ ପଛରେ ତୃତୀୟ ମହଲା କ୍ଷମତା କେନ୍ଦ୍ର ସହ କଳିର ପରିଣାମ ନୁହେଁ ତ ? ତେବେ ଆକ୍ରୋଶ ଆଉ ଷଡ଼ଯନ୍ତ୍ର ପଛରେ ସତ ଯାହା ଥାଉନା କାହିଁକି, ପ୍ରଦୀପଙ୍କୁ ଦଳରୁ ବିଦା ପଛରେ କିନ୍ତୁ କ୍ଷମତା କେନ୍ଦ୍ର ସହ ତାଙ୍କ ବିବାଦ ଜଳଜଳ ବାରି ହେଉଛି।

You might also like