କେନ୍ଦ୍ରର ଅନୁମତି ପରେ ବି ହଲ୍ ଖୋଲିବାରେ ଅସୁବିଧା କେଉଁଠି?

ଭୁବନେଶ୍ୱର: କରୋନାକୁ ପିଠି କରି କଟକଣା ସହ ଧିରେ ଧିରେ ସବୁ ଖୋଲୁଛି। ହାଟ ବଜାରରେ ଗହଳି ବଢୁଛି।  ହେଲେ ସିନେମା ହଲ୍ ଏବେ ବି ବନ୍ଦ। ଭୁବନେଶ୍ୱରର କେଶରୀ ଟକିଜ୍‌ରେ ଲାଗିଥିବା ଏ ପୋଷ୍ଟର। ୧୩ ମାର୍ଚ୍ଚରେ ଏଠି ରିଲିଜ୍ ହେବାର ଥିଲା ଏ ସିନେମା ଅଂଗ୍ରେଜି ମିଡିୟମ୍। ହେଲେ ମହାମାରୀ କରୋନା ପାଇଁ ସେଇ ଦିନଠୁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ଯେ କେବେ ଖୋଲିବ ସେ ଖବର କାହା ପାଖରେ ନାହିଁ।

ଅନଲକ୍-୫ରେ ଅକ୍ଟୋବର ୧୫ରୁ କଟକଣା ସହ ସିନେମା ହଲ୍ ଖୋଲିବାକୁ କେନ୍ଦ୍ରର ଅନୁମତି ପରେ ଚରମ ଦୁର୍ଦ୍ଦଶାରେ ଥିବା ପ୍ରେକ୍ଷାଳୟ ମାଲିକ। କର୍ମଚାରୀଙ୍କ ଆଶା ଥିଲା ରାଜ୍ୟ ସରକାର ବି ସେଇ ରାସ୍ତା ଧରିବେ ହେଲେ ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡ୍ ଲାଇନ୍ ଯୋଗୁଁ ପୂଜା ବଜାର ବି ପୂରା ମା଼ଡ଼ ଖାଇବା ସେମାନଙ୍କୁ ହତାଶ କରିଛି। ସବୁ ଖୋଲୁଥିଲା ବେଳେ ୫୦ ପ୍ରତିଶତ କ୍ଷମତାରେ ହଲ୍ ଖୋଲିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି।

ଏପଟେ ମନ୍ଦିର ଖୋଲୁ ନ ଥିବାରୁ ନନାଙ୍କ ଦୁର୍ଦ୍ଦଶା ବଢୁଛି। ଏଇ ଯେମିତି ରାଉରକେଲା ଶକ୍ତିନଗରର ଦକ୍ଷିଣକାଳୀ ମନ୍ଦିର ପୂଜକ ଦୁର୍ଗାମାଧବ ଶତପଥୀଙ୍କ କଥା। ପ୍ରାୟ ୮ ମାସ ହେବ ମନ୍ଦିରକୁ ସାଧାରଣ ଲୋକଙ୍କ ପ୍ରବେଶରେ କଟକଣା। ସେ କିନ୍ତୁ ନିଇତି ମନ୍ଦିର ଆସି ଠାକୁରଙ୍କ ପୂଜାସେବା କରୁଛନ୍ତି। ହେଲେ ନା ଦରମା ଅଛି ନା ଭକ୍ତଙ୍କ ଦକ୍ଷିଣା। ଯାହା କିଛି ସଂଚୟ ଥିଲା ସେତକ ବି ସରିଗଲାଣି। ତେଣୁ ଏ ମହଙ୍ଗା ବଜାରରେ ଚଳିବା ଭାରି କଷ୍ଟ ହେଉଛି ବୋଲି କହନ୍ତି ଦୁର୍ଗାମାଧବ। କେବଳ ଦୁର୍ଗାମାଧବ ନୁହଁନ୍ତି, ଠାକୁରଙ୍କ ସେବା ପୂଜାରୁ ପରିବାର ପୋଷୁଥିବା ରାଜ୍ୟର ଲକ୍ଷାଧିକ ପୂଜକଙ୍କର ପାଖାପାଖି ସମାନ କାହାଣୀ, ସମାନ ଦୁର୍ଦ୍ଦଶା।

କୋଭିଡ୍  କଟକଣା ଭିତରେ ସବୁ କିଛି ଖୋଲି ଚାଲିଥିଲା ବେଳେ ରାଜ୍ୟରେ ସିନେମା ହଲ୍, ଥିଏଟର ଓ ମନ୍ଦିର କେବେ ଖୋଲିବ, ତାକୁ ହିଁ ଅପେକ୍ଷା ଏହିସବୁ ବୃତ୍ତି ସହ ଜଡ଼ିତ ପରିବାର।

ଆହୁରି ପଢ଼ନ୍ତୁ

You might also like