ପିନାକୀ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତିକୁ ଦେଖି ବିଜେଡିର ତତ୍ପରତା। ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସଙ୍ଗରେ ହେବା ଦଳ ଚାହୁଁଛି। ବିଜେଡି ସାଂସଦ ପିନାକୀ ମିଶ୍ର ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏକା ସାଙ୍ଗରେ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। ସେହିପରି ଦଳ ଦୁଇ ବର୍ଷ ହେଲା ଏହି ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକା ସାଙ୍ଗରେ ନିର୍ବାଚନ ନହେଲେ ପ୍ରାୟ ହଜାରେ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ ଓ ଲମ୍ବା ସମୟ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଯାହାଦ୍ୱାରା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ ବୋଲି ଦଳ ଯୁକ୍ତି ଦର୍ଶାଇଛି।

କିଛି ଦିନ ପୂର୍ବରୁ ମନ୍ତ୍ରୀ ପ୍ରଦୀପ ମହାରଥୀ ବି ଏକାଠି ନିର୍ବାଚନ ନହେଲେ ବିଜେଡିକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ସେପଟେ ବିଜେଡିର ଏ ତତ୍ପରତାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ। ବିଜେପି ଯେତେବେଳେ ଅସୁବିଧାର ପଡ଼ୁଛି ବିଜେଡି ସହଯୋଗର ହାତ ବଢ଼ାଇଛି ବୋଲି ବିରୋଧିଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଯଦି ଅାଗୁଅା କେବଳ ଲୋକସଭା ନିର୍ବାଚନ ହୁଏ ତେବେ କାଳେ ମୋଦି ମ୍ୟାଜିକ୍ କାମ କରିଯିବ ଓ ବିଜେପି କିଛି ଅାସନ ଛଡ଼ାଇ ନେବ, ବିଜେଡିକୁ ସେଇ ଚିନ୍ତା ଘାରିଥିବା ଚର୍ଚ୍ଚା ହେଉଛି।

ସେହିପରି ବିଧାନସଭା ପୂର୍ବରୁ ଲୋକସଭା ନିର୍ବାନର ଅାଚରଣ ବିଧି ଲାଗୁ ହେଲେ ରାଜ୍ୟ ସରକାର କୌଣସି ଲୋଭନୀୟ ସ୍କିମ୍‌ ମଧ୍ୟ ଘୋଷଣା କରିପାରିବେ ନାହିଁ। ଗୋଟିଏ ପଟେ ନିର୍ବାଚନ ପରିଚାଳନା ନେଇ ନିର୍ବାନ କମିଶନଙ୍କ ତୟାରି, ଅନ୍ୟପଟେ ବିଜେଡିର ଅାଜିର ଅାଭିମୁଖ୍ୟ ୟା ଭିତରେ ଅାଗୁଅା ନିର୍ବାନର ସମ୍ଭାବନା ଧିରେ ଧିରେ ଉଜ୍ୱଳ ହେବାରେ ଲାଗିଛି।

You might also like