ଦ୍ୱୀପରୁ ଉଦ୍ଧାର ହେଲେ ପୂରା ପରିବାର

ରାଜକନିକା: ଦ୍ୱୀପରେ ୪ ଦିନ ଧରି ଫସି ରହିଥିବା ପରିବାରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଯୋଦ୍ଧା। କେନ୍ଦ୍ରାପଡ଼ା ରାଜକନିକା କଇଥାପାଳ ଦ୍ୱୀପରେ ଫସି ରହିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି।

ହଠାତ୍ ବନ୍ୟା ପାଣି ଆସିବା ଯୋଗୁଁ କଇଥାପାଳରେ ଗୋଟିଏ ପାରିବାର ଲୋକେ ଫସି ରହିଥିଲେ। ପାଣି ବଢ଼ିବା ସହ ଆଉ କୂଳକୁ ଆସିନପାରି ଭାଗ୍ୟକୁ ଆଦରି ରହିଥିଲେ।

ଯାହା ଖାଇବା ଥିଲା ତାହା ସରିଯିବା ପରେ ଭୋକ ଉପାସରେ ଦିନ କାଟୁଥିଲେ ପରିବାରର ସବୁ ସଦସ୍ୟ। ଘଟଣା ଜାଣିବା ପରେ ଦମକଳ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି।

ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି।

ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁସାରେ, ହୀରାକୁଦରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇପାରେ। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସୁଧାର ଆସିଛି।

ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି।

You might also like