କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?
ଭୁବନେଶ୍ୱର: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ବର୍ତ୍ତମାନର ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଡିସେମ୍ବର ୩୧ରେ ଅବସର ନେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାଓ୍ୱର କରିଡର୍ରେ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟ ସଚିବ ଦୌଡ଼ରେ ଅନେକ ନାଁ ଥିଲେ ବି ବରିଷ୍ଠ ଆଇଏଏସ୍ ତଥା ବର୍ତ୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର ନା ଆଗରେ ରହିଛି। ଯଦି ସୁରେଶ ମୁଖ୍ୟ ଶାସନ ସଚିବ ହେବେ, ତେବେ କାହାକୁ ଉନ୍ନୟନ କମିଶନର୍ କରାଯିବ ତାକୁ ନେଇ ବି ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।
ନୂଆବର୍ଷରେ ଆସିବେ ନୂଆ ମୁଖ୍ୟ ସଚିବ। ଜାନୁୟାରୀ ପହିଲାରେ ରାଜ୍ୟ ପାଇବ ନୂଆ ସିଏସ୍। ଡିସେମ୍ବର ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଛି।
ଏବେ ପ୍ରଶ୍ନ କିଏ ହେବେ ଅସିତଙ୍କ ଉତ୍ତରାଧିକାରୀ?
କାହା ଉପରେ ଭରସା କରିବେ ନବୀନ?
ଏହାକୁ ନେଇ ପାଓ୍ୱାର୍ କରିଡର୍ରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତଥର ମୁଖ୍ୟ ଶାସନ ସଚିବ ନିଯୁକ୍ତି ବେଳେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ବରିଷ୍ଠତା ଭିତ୍ତିରେ ଅସିତ୍ ପାଇଥିଲେ ସିଏସ୍ ଚେୟାର। ସେହି ଦୃଷ୍ଟିରୁ ପରବର୍ତ୍ତୀ ମୁଖ୍ୟଶାସନ ସଚିବ ଭାବେ ସୁରେଶ ମହାପାତ୍ର ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ହେଉଛି। ସୁରେଶ ଯଦି ଏଥିପାଇଁ ମନୋନୀତ ହୁଅନ୍ତି ତେବେ ସେ ୧୩ ମାସ ପାଇଁ ଦାୟିତ୍ୱରେ ରହିବେ।
ସେପଟେ ୧୯୮୫, ୮୬ ଓ ୮୭ ବ୍ୟାଚର୍ ଆଇଏଏସ୍ ଅଧିକାରୀମାନେ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି। ୮୫ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ୟୁ.ପି. ସିଂହ, ୮୬ ବ୍ୟାଚର ଜି.ଭି.ଭି ଶର୍ମା କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ବେଳେ ଗୋପବନ୍ଧୁ ଏକାଡେମୀ ଦାୟିତ୍ୱରେ ଅଛନ୍ତି ସୁଦର୍ଶନ ପାଲ୍ ଠାକୁର।
ସେପଟେ ବରିଷ୍ଠ IAS ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଜଳସଂପଦ, ଶକ୍ତି, ଜଙ୍ଗଲ ଓ ପରିବେଶ ଭଳି ବିଭାଗର ସିବ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି। ତେଣୁ ସୁରେଶ୍ ହିଁ ସିଏସ୍ ଦୌଡ଼ରେ ଆଗରେ ରହିଥିବା କୁହାଯାଉଛି।
ଯଦି ସୁରେଶ ମହାପାତ୍ର ମୁଖ୍ୟଶାସନ ସଚିବ ହୁଅନ୍ତି, ତାହେଲେ ଉନ୍ନୟନ କମିଶନର୍ କାହାକୁ କରାଯିବ?
ଚର୍ଚ୍ଚା ହେଉଛି ୮୭ ବ୍ୟାଚ୍ର ଆଇଏସ୍ ତଥା କୃଷି ଉତ୍ପାଦନ କମିଶନର୍ ଥିବା ରାଜକୁମାର ଶର୍ମାଙ୍କୁ ଏହି ପଦ ମିଳିପାରେ। ୮୭ ବ୍ୟାଚର୍ ଓଡ଼ିଶା କ୍ୟାଡର୍ IAS ତୁହିନ୍କାନ୍ତ ପାଣ୍ଡେ, ନିକୁଞ୍ଜ ସୁନ୍ଦରାୟ, ରାଜେଶ ବର୍ମା ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି। ତେଣୁ ସେମାନେ ଓଡ଼ିଶା ଆସିବା ସମ୍ଭାବନା କମ୍।
ସେଦୃଷ୍ଟିରୁ ରାଜକୁମାର ଶର୍ମା କିମ୍ବା ୮୮ ବ୍ୟାଚ୍ ଆଇଏଏସ୍ ତଥା ବର୍ତ୍ତମାନର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଉନ୍ନୟନ କମିଶନର୍ ହେବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ। ହେଲେ ଏସବୁ ଭିତରେ ନବୀନ କ’ଣ ସରପ୍ରାଇଜ୍ କାର୍ଡ ଖେଳୁଛନ୍ତି ତା ଉପରେ ନଜର ରହିଛି।
ନୂଆ ମୁଖ୍ୟଶାସନ ସଚିବ ନିଯୁକ୍ତ ହେବାପରେ ପୁଣି ଥରେ ଆଇଏଏସ୍ ସ୍ତରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ନୂଆ ସିଏସ୍ ନିଜ ନୂଆ ଟିମ୍ ବାଛିବା ସହ ଗୋଟିଏ ବିଭାଗରେ ଏକାଧିକ ବର୍ଷ ରହିଥିବା ସଚିବମାନଙ୍କ ଭିତରେ ସରକାର ପରିବର୍ତ୍ତନ କରିପାରନ୍ତି।
ସୂଚନା ଥାଉକି, ଉନ୍ନୟନ କମିଶନର ଭାବେ ଦାୟିତ୍ୱରେ ଥିବା ଅସିତ୍ ତ୍ରିପାଠୀ ୨୦୧୯ ଅଗଷ୍ଟ ୧୯ ତାରିଖରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାପରେ ଅସିତଙ୍କୁ ମୁଖ୍ୟ ଶାସନ ସଚିବ ପଦବି ମିଳିଥିଲା। ଏହା ପୂର୍ବରୁ ୧୯ ୮୬ ବ୍ୟାଚ୍ର ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ଆର୍. ବାଲ୍କ୍ରିଷ୍ଣନ୍ଙ୍କ ପରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।