ସରିଲା ଭୋଟ୍‌; ଏବେ ଅପେକ୍ଷା ଆସନ୍ତା ୧୦ ତାରିଖର ଗଣତିକୁ

ଭୁବନେଶ୍ୱର: ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସାହିତ। ମତଦାତା ଯୁବଠୁ ବୟସ୍କ, ମହିଳାଙ୍କଠୁ ପୁରୁଷ, ଦିବ୍ୟାଙ୍ଗଠୁ ଗର୍ଭବତୀ ଯାଏଁ। କୋଭିଡ୍ ଭୂତାଣୁର ଭୟାବହତା ସତ୍ତ୍ୱେ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବ୍ୟଗ୍ର ଥିଲେ। ତିର୍ତ୍ତୋଲ ଏବଂ ବାଲେଶ୍ୱର ମତଦାତା ପ୍ରଥମେ ମକ୍‌ପୋଲିଂ କରି ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯାଇଥିଲା।

ତାପରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ। ଜନତା ହୁଅନ୍ତୁ କିମ୍ବା ପ୍ରାର୍ଥୀ, ନେତା ହୁଅନ୍ତୁ କିମ୍ବା କର୍ମୀ। ଜଣଙ୍କ ପରେ ଜଣଙ୍କୁ ଥର୍ମାଲ ସ୍କ୍ରିନିଂ କରି ମତଦାନ ପାଇଁ ଦିଆଯାଇଥିଲା। ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋଭସ୍ ଆଉ ବୁଥ୍ ଭିତରେ ପିପିଇ କିଟ୍ ପିନ୍ଧି ଭୋଟିଂ ପ୍ରକ୍ରିୟା ଜାରି ରଖିଥିଲେ ପୋଲିଂ ଅଫିସର।

ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍‌ରେ ନିର୍ବାଚନ ପରିଚାଳନା କରିଥିଲେ। ସାଢ଼େ ୩ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଥିଲେ। ୮ ଶହ ଲେଖାଏଁ ଆଶାକର୍ମୀ ଓ ସ୍ୱେଛାସେବୀ ସ୍କ୍ରିନିଂ ସମୟରେ ଚିହ୍ନଟ ସନ୍ଦିଗ୍ଧ। କରୋନା ରୋଗୀଙ୍କୁ ଟୋକନ୍ ଦିଆଯିବା ସହ ସଂଧ୍ୟା ୫ଟାରୁ ୬ଟା ଭିତରେ ଭୋଟ୍ ନିଆଯାଇଥିଲା।

ବାଲେଶ୍ୱରର ନିର୍ବାଚନୀ ମୈଦାନରେ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ରଣାଙ୍ଗନରେ ଥିଲେ ମୋଟ ୬ ଜଣ। ସେହିପରି ତିର୍ତ୍ତୋଲରେ ମଧ୍ୟ ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ମୋଟ ୯ ପ୍ରାର୍ଥୀ ଥିଲେ ମୈଦାନରେ। ଏବେ ସମସ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସିଲ୍ ହୋଇଛି ଇଭିଏମ୍‌ରେ।

ମତଦାନ ବେଳେ କିନ୍ତୁ କିଛି ସ୍ଥାନରେ ଦେଖାଦେଇଥିଲା ଅବ୍ୟବସ୍ଥା ଆଉ ଅସନ୍ତୋଷ। ରାସ୍ତା ନିର୍ମାଣ ଦାବି କରି ତିର୍ତ୍ତୋଲ ଗୋପାଳପୁରର ୨ଟି ୱାର୍ଡ ଏବଂ କଟରା ପଞ୍ଚାୟତର ଗୋଟିଏ ୱାର୍ଡର ଭୋଟର୍ ଭୋଟ୍ ବର୍ଜନ କରିଥିଲେ।

ସେହିପରି ରେଢୁଆରେ ବୁଥ୍‌କୁ ଯିବାବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତରଜଙ୍ଗାରେ ଦିବ୍ୟାଙ୍ଗ ଏବଂ ଗର୍ଭବତୀ ଭୋଟର୍‌ଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିରେ ସୁସ୍ଥ ଲୋକଙ୍କୁ ପରିବହନ ନେଇ ଅଭିଯୋଗ କରିଥିଲେ ଲୋକେ।

ସେପଟେ ବାଲେଶ୍ୱର ୧ ନମ୍ବର ଓ୍ୱାର୍ଡର ଆଦିବାସୀ ସାହିରେ ନିର୍ଦ୍ଦିଷ୍ଟ ଏକ ଦଳର ସମର୍ଥକଙ୍କ ସହ ମୟୁରଭଞ୍ଜର ଭାରତୀ ହାଁସଦା ନାମକ ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ଉଠିଥିଲା। ଏହାପରେ ଲୋକେ ମହିଳାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ତେବେ ପ୍ରମାଣ ନଥିବା ଦର୍ଶାଇ ପୋଲିସ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ସେପଟେ ବାଲେଶ୍ୱରର ୧୬ ନମ୍ବର ୱାର୍ଡରେ ଜଣେ ପୋଲିସ୍ କର୍ମଚାରୀ ନିର୍ଦ୍ଦିଷ୍ଟ ଏକ ଦଳର ଚିହ୍ନଥିବା ଚିର୍‌କୁଟ୍ ବଣ୍ଟନ ନେଇ ଅଭିଯୋଗ ପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା।

କରୋନାର ଭୟ ଆଗରେ ଜନତା ଜନାର୍ଦ୍ଦନଙ୍କ ସାମ୍ବିଧାନିକ ଅଧିକାର ତ ବାଜି ମାରିଲା, ଏବେ ଅପେକ୍ଷା ଆସନ୍ତା ୧୦ ତାରିଖର ଗଣତିକୁ। ସେଦିନ ହିଁ ସ୍ପଷ୍ଟ ହେବ, କେଉଁ ପ୍ରାର୍ଥୀ ବାଜି ମାରିବେ, ଆଉ କାହାର ହେବ ହାର୍।

You might also like