କାଲିଠୁ ଆରମ୍ଭ ହେବ ଟିକାକରଣ: କିଏ ନେବେ ପ୍ରଥମ ଟିକା, ଜାଣନ୍ତି ?

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ  କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ଗତକାଲିଠାରୁ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠାଯାଉଛି SMS ।

ସୂଚନା ଅନୁସାରେ, ଟିକାକରଣ କେନ୍ଦ୍ରକୁ ଆସି ଟିକା ନେବେ ହିତାଧିକାରୀ । ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଂଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ । ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି । ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ରାଜ୍ୟର ୧୬୧ ଟିକା କେନ୍ଦ୍ରରେ ସକାଳ ୯ଟାରୁ ଟିକାକରଣ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । ଭ୍ୟାକସିନ୍ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି । ସବୁ କେନ୍ଦ୍ରରେ ୱେଟିଂ ରୁମ୍, ଅବଜରଭେସନ ରୁମ୍ କରାଯାଇଛି ।

ସବୁ କେନ୍ଦ୍ରରେ ଯେଉଁ ୫ ଜଣିଆ ଟିମ୍ ରହିବେ ତାଙ୍କ ଟ୍ରେନିଂ ସରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।  ନୂଆ ଗାଇଡଲାଇନ୍ ଅନୁସାରେ ୧୮ ବର୍ଷରୁ କମ୍, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମା’ ଟିକା ନେଇପାରିବେ ନାହିଁ ।

ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ୩ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକାଦାନ କେନ୍ଦ୍ର ଖୋଲିବ । ଟିକାକରଣ ଅଭିଯାନ ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ କେତେକ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନଲାଇନରେ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ସଂକ୍ରମଣ ଆଶଙ୍କା ଥିବା ୩ କୋଟି ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ସରକାର ସ୍ଥିର କରିଛନ୍ତି ।

ଯେଉଁମାନଙ୍କର କୋଭିଡ ଲକ୍ଷଣ ସେମାନଙ୍କୁ ଟିକା ଦିଆଯିବ ନାହିଁ। ସୁସ୍ଥ ହେବାର ୪ରୁ ୮ ସପ୍ତା ମଧ୍ୟରେ ଟିକା ଦିଆଯିବ। କୋଭିସିଲ୍‌ଡ ଓ କୋଭାକ୍ସିନର ୦.୫ ଏମଏଲ ଡୋଜ ବାହୁର ଉପରିଭାଗରେ ଦିଆଯିବ। ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।

ଏଠି କହିରଖିବୁ, ଆସନ୍ତାକାଲି ରାଜଧାନୀର ମୋଟ୍ ୬ଟି ହସ୍ପିଟାଲରେ ଟୀକାକରଣ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪, ବିଏମ୍ସି ହସ୍ପିଟାଲ, କିମ୍ସ , ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ କୋଭିଡ୍ ଟୀକାକରଣ କରାଯିବ । ପ୍ରତି ଭ୍ୟାକ୍ସିନେସନ୍ ସେଣ୍ଟରରେ ୧୦୦ ଜଣ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟୀକା ଦିଆଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଭ୍ୟାକ୍ସିନ ପାଇଛି, ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ । ପ୍ରଥମ ପଯର୍ୟାୟ ଟୀକାକରଣ ପ୍ରକ୍ରିୟାରେ ୯ ହଜାର ଲୋକଙ୍କୁ ଟୀକା ଦିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।

 

You might also like