ବିଜ୍ଞପ୍ତି ସହ ରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତାସହ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ତେବେ ୩ଟି ରାଜ୍ୟସଭା ପଦ ପାଇଁ ପୃଥକ୍ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ସିଟ୍ ବିଜେଡି ଖାତାକୁ ଯିବ। ତେବେ ନବୀନ କାହାକୁ ରାଜ୍ୟସଭାକୁ ପଠାଇବେ ସେ କାର୍ଡ ଏଯାଏଁ ଖୋଲି ନାହାନ୍ତି। ହେଲେ ନିର୍ବାଚନରେ ଦଳକୁ ସଫଳତା ଆଣିବାରେ ଯେଉଁମାନଙ୍କର ପ୍ରମୁଖ ଅବଦାନ ଅଛି ସେମାନଙ୍କୁ ମିଳିପାରେ ରାଜ୍ୟସଭା ପୁରସ୍କାର ।

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ନୋଟିସ୍ ବୋର୍ଡରେ ବିଜ୍ଞପ୍ତି ଲାଗିଥିବା ବେଳେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଓଡ଼ିଶାର ୩ ରାଜ୍ୟସଭା ପଦ ପାଇଁ ୩ଟି ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ନିର୍ବାଚନ ହୁଏ ତେବେ ୩ଟି ସିଟ୍ ପାଇଁ ପୃଥକ ପୃଥକ୍ ଭାବେ ନିର୍ବାଚନ ହେବ। ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୫ ଜୁନ୍ ହେଉଛି ଶେଷ ତାରିଖ। ଆବଶ୍ୟକ ହେଲେ ଜୁଲାଇ ୫ରେ ନିର୍ବାଚନ ହେବ।

ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ରାଜ୍ୟସଭା ପଦ ବିଜେଡି ଖାତାକୁ ଯିବ। ଦିଲ୍ଲୀଗସ୍ତରୁ ଫେରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ଏପଟେ ରାଜ୍ୟସଭା ସିଟ୍ ହାତେଇବା ପାଇଁ ଲବି ବି ଜୋରଦାର ଚାଲିଛି। ତେବେ ପ୍ରାର୍ଥୀ ଚୟନ ପାଇଁ ବିଜେଡି ନୂଆ ଫର୍ମୁଲା ବାହାର କରିଥିବା କୁହଯାଉଛି । ଯେଉଁ ହେବିୱେଟ୍ ନେତା ଗତ ନିର୍ବାଚନରେ ପରାଜିତ ହୋଇଛନ୍ତି, ସେମାନଙ୍କୁ ରାଜ୍ୟସଭା ଟିକଟ୍ ମିଳି ନ ପାରେ। ତେବେ ନିର୍ବାଚନରେ ଦଳକୁ ଜିତାଇବାରେ ଯେଉଁମାନଙ୍କ ଅଧିକ ଅବଦାନ ରହିଛି ସେମାନଙ୍କୁ ରାଜ୍ୟସଭା ସିଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହା ସହ ନିର୍ବାଚନରେ ଯେଉଁମାନେ ଟିକଟରୁ ବଞ୍ଚିତ ହୋଇଥିଲେ ଓ ଯେଉଁମାନଙ୍କୁ ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ, ସେମାନଙ୍କୁ ସୁଯୋଗ ମିଳିପାରେ ବୋଲି କୁହଯାଉଛି । ଏହି ଥିଓରୀରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟାନାୟକ ରାଜ୍ୟସଭାକୁ ଯିବେ ବୋଲି ଦୃଢ଼ ଆଶାବାଦୀ। ଏହା ବାଦ୍  ଦଳର ଆଭ୍ୟନ୍ତରୀଣ ରଣନୀତିରେ ପ୍ରମୁଖ ଭୂମିକା ନେଉଥିବା ଅମର ପଟ୍ଟନାୟକ, ନିର୍ବାଚନ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସଭାସମିତି କରାଇଥିବା ଶ୍ରୀମୟୀ ମିଶ୍ର ଓ ମିଡିଆ ଦାୟିତ୍ୱ ସମ୍ଭାଳିଥିବା ସସ୍ମିତ ପାତ୍ରଙ୍କୁ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏପ୍ରିଲ ୨, ୨୦୨୦ରେ ଓଡ଼ିଶାର ଆଉ ୪ଟି ରାଜ୍ୟସଭା ସିଟ୍ ଖାଲି ହେବ। ଏବେ ଅପେକ୍ଷା କାହାର ପାଳି ପଡୁଛି। ଆଉ କାହାକୁ ଆର ଥରକର ଲୋଭ ଦେଖାଇ ଧର୍ଯ୍ୟ ଧରିବାକୁ କୁହାଯାଉଛି।

You might also like