ନାଲି ଫିତା ତଳେ ପଡ଼ିରହିଛି ଉଠା ଜଳସେଚନ ପ୍ରକଳ୍ପ କାମ
ଗଜପତି: ଲଗାଣ ବର୍ଷା ହେଲା, କୋଉଁଠି ବନ୍ୟାରେ ବିଲ ଧୋଇଗଲା ତ କେଉଁଠି ଚାଷ ପାଇଁ ଉପଯୋଗ ପାଣି ମିଳିଲା। ତେବେ ଗଜପତି ଜିଲ୍ଲାର ମୋହନା ଓ ଆର୍ ଉଦୟଗିରି ବ୍ଲକ୍ର ଚାଷୀଙ୍କ ଲାଗି ଏବେ ପାଣି ଚିନ୍ତା ଘାରିଛି। ଲଗାଣ ବର୍ଷା ପରେ ବି ଏହି ଦୁଇ ବ୍ଲକ୍ର ଅନେକ ଦୁର୍ଗମ ଅଞ୍ଚଳର ଚାଷୀଙ୍କ ଜମିରେ ପାଣି ନାହିଁ। ଢେପୁଆ ଜମି ଥିବାରୁ ପାଣି ସୁବିଧାରୁ ଏଠାକାର ଚାଷୀ ବଞ୍ଚିତ ହେଉଛନ୍ତି। ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୨୦୧୫-୧୬ ମସିହାରେ ଜଳ ଯୋଗାଣ ଲାଗି ଏହି ଦୁଇ ବ୍ଲକ୍ର ୩୬ ଜଣ ଚାଷୀ ଆବେଦନ କରିଥିଲେ। ଆଉ ନିୟମ ମୁତାବକ ୨୦ ହଜାର ଟଙ୍କା ବି ପୈଠ କରିଥିଲେ। ଏହାକୁ ୩ ବର୍ଷ ବିତିଯାଇଥିଲେ ବି ଏ ଯାଏଁ ଚାଷୀଙ୍କ ଜମିକୁ ଜଳ ଯୋଗାଣ ହୋଇପାରିନି।
ପାଣି ଅଭାବ ଯୋଗୁ ଗତ ବର୍ଷ ଏହି ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା। ଧାନ ବଦଳରେ ଲୋକେ ମାଣ୍ଡିଆ ଭଳି ଫସଲ ଚାଷ କରିବାକୁ ବାଧ୍ୟ ହୋଇଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ଜଣାଇଲେ ବି କୌଣସି ସୁଫଳ ମିଳିନି। ଦାବି ପୂରଣ ନ ହେଲେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ସେପଟେ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ଯୋଗୁଁ ଏଭଳି ବିଳମ୍ବ ହୋଇଥିବା କହିଛି ଉଠା ଜଳସେଚନ ବିଭାଗ। ବର୍ଷା ଋତୁ ପରେ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।
( ପାରଳାଖେମୁଣ୍ଡିରୁ ଆଦର୍ଶ ଦାଶଙ୍କ ରିପୋର୍ଟ)